20 October 2017
10:27:59 AM
Sambad News
ରାଜ୍ୟ

୭ କୋଟି ଟଙ୍କା ହେରଫେର୍‌ : ପୋତାପୋଖରୀରେ ସିଡବ୍ଲୁସିର କେନ୍ଦ୍ରୀୟ ଟିମ୍‌ର ତଦନ୍ତ

By Sambad | Date: Aug 12 2017 11:33PM
୭ କୋଟି ଟଙ୍କା ହେରଫେର୍‌ : ପୋତାପୋଖରୀରେ ସିଡବ୍ଲୁସିର କେନ୍ଦ୍ରୀୟ ଟିମ୍‌ର ତଦନ୍ତ

କଟକ-ମହାନଦୀବିହାର : ନିମ୍ନ ମାନର କାମ କରି ୭ କୋଟି ଟଙ୍କାର ସିଂହଭାଗ ଚଳୁ କରି ଦେବାକୁ ଉଦ୍ୟମ କରିଛନ୍ତି ଠିକାଦାର। ଏଥିରେ ବିଭାଗର ଅଧିକାରୀ ବି ସଂପୃକ୍ତ ଅଛନ୍ତି। ଏଭଳି ସଂଗୀନ ଅଭିଯୋଗ ସାମନାକୁ ଆସିବା ପରେ ଆଜି ପୋତାପୋଖରୀ ସ୍ଥିତ ସେଣ୍ଟ୍ରାଲ୍‌ ଓୟାରହାଉସିଂ କର୍ପୋରେସନ୍‌ (ସିଡବ୍ଲୁସି) ଗୋଦାମ ଗୃହରେ ତଦନ୍ତ ଆରମ୍ଭ ହୋଇଛି। କେନ୍ଦ୍ରରୁ ଆସିଥିବା ଏକ ୫ ଜଣିଆ ଟିମ୍‌ ଆଜି ସକାଳୁ ସିଡବ୍ଲୁସି ଗୋଦାମରେ ପହଞ୍ଚି ବିଭିନ୍ନ କାର୍ଯ୍ୟର ଯାଞ୍ଚ କରିଛନ୍ତି।  
 
ସୂଚନା ଅନୁଯାୟୀ ୮ ମାସ ପୂର୍ବେ ଏହି ଗୋଦାମର ପାଚେରି କାମ, ଭିତର ରାସ୍ତା କାମ, ମୁଖ୍ୟ ଫାଟକ, ଆଜେଷ୍ଟେସ, ରଙ୍ଗ କାମ ପାଇଁ ଟେଣ୍ଡର କରାଯାଇଥିଲା। ଏଥିପାଇଁ ୭ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। କିନ୍ତୁ ଟେଣ୍ଡର ଜରିଆରେ କାମ ହାତେଇଥିବା ଠିକାଦାର ପାଚେରି ରଙ୍ଗ ନକରି, ରାସ୍ତା କଂକ୍ରିଟ କାମ ନିମ୍ନ ମାନର କରିବା ସହ ପୁରୁଣା ଗ୍ରିଲରେ ରଙ୍ଗ ଲଗାଇ ନୂଆ ଦର୍ଶାଇ ଟଙ୍କା ଉଠାଇ ନେବାର ଅଭିଯୋଗ ହୋଇଥିଲା। ଏ ପ୍ରକାର ଅଭିଯୋଗ ପାଇବା ପରେ ଆଜି ତଦନ୍ତକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଥିଲା। କଟରରେ ରାସ୍ତା ଖୋଳି କଂକ୍ରିଟ ରାସ୍ତାର ମାନ ପରଖିଥିଲା। ଯାଞ୍ଚରୁ ଅଧିକାଂଶ ଅଭିଯୋଗ ପଛରେ ସତ୍ୟତା ଥିବା ଜଣା ପଡ଼ିବା ପରେ ଟିମ୍‌ର ସଦସ୍ୟମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। 
 
ଟିମ୍‌ର ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି। ଅନ୍ୟପଟେ ପୋତାପୋଖରୀ ସିଡବ୍ଲୁସି ଗୋଦାମ ପ୍ରବନ୍ଧକ ଏ ସଂପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି। ନୂଆ କାମ ନିମ୍ନ ମାନର କରାଯିବା ସହିତ ୮୦ରୁ ଅଧିକ ପୁରୁଣା ଲୁହା ସର୍ଟର୍‌ ଏବଂ ଶହେରୁ ଅଧିକ ପୁରୁଣା ଆଜବେଷ୍ଟସ୍‌ ବିକ୍ରି କରି ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। 

image