19 October 2017
2:48:49 PM
Sambad News
ମହାନଗର

କଶ୍ମୀରରେ ବିଇଡି ପରୀକ୍ଷା ନାଁରେ କୋଟିଏରୁ ଊର୍ଧ୍ୱ ଟଙ୍କା ଠକେଇ:୨୦୦ରୁ ଅଧିକ ଛାତ୍ରଛାତ୍ରୀ ଠକାମିର ଶିକାର

ରାଜଧାନୀରେ ଠକୁଥିଲା କୌଟିଲ୍ୟ ଇନ୍‌ଷ୍ଟିଚ୍ୟୁଟ୍‌: ୨ ଠକଙ୍କୁ ଧରି ପୁଲିସରେ ଦେଲେ ଛାତ୍ରଛାତ୍ରୀ

By Sambad | Date: Jan 11 2017 3:34AM
କଶ୍ମୀରରେ ବିଇଡି ପରୀକ୍ଷା ନାଁରେ କୋଟିଏରୁ ଊର୍ଧ୍ୱ ଟଙ୍କା ଠକେଇ:୨୦୦ରୁ ଅଧିକ ଛାତ୍ରଛାତ୍ରୀ ଠକାମିର ଶିକାର

ପୁରୁଣା ଭୁବନେଶ୍ୱର: କଶ୍ମୀର ବିଶ୍ୱବିଦ୍ୟାଳୟରେ ବିଇଡି ପରୀକ୍ଷା ନାଁରେ ଏକ ଠକ ସଂସ୍ଥା ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କଠାରୁ କୋଟିଏରୁ ଊର୍ଧ୍ୱ ଟଙ୍କା ଠକି ନେଇଛି। ଠକାମିର ଶିକାର ହୋଇଥିବା ଜାଣିବା ପରେ ଆଜି କିଛି ଛାତ୍ରଛାତ୍ରୀ ଏହି ଠକ ସଂସ୍ଥାର ୨ ଜଣଙ୍କୁ ଧରି ଶ୍ରୀଲିଙ୍ଗରାଜ ଥାନାରେ ଜିମା ଦେଇଛନ୍ତି। ସେମାନଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଏହି ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟ ଚାଳାଣ କରିଛି। ଗିରଫ ଯୁବକମାନେ ହେଲେ ବିହାର ଭୋଜପୁର ଥାନା ଅନ୍ତର୍ଗତ କୋରାଣ୍ଡି ଗ୍ରାମର ରାଜେଶ ସିଂ(୪୨) ଓ ଉତ୍ତରପ୍ରଦେଶ ବୋଲନ୍ଥ ସହର ଥାନା ଅନ୍ତର୍ଗତ ଇଟୋରୋରି ଅଞ୍ଚଳର ବୈଭବ ଗୌତମ(୩୭)। ସେମାନେ ବ୍ୟବହାର କରୁଥିବା ଏକ ବୁଲେଟ୍‌ ମୋଟରସାଇକେଲକୁ ପୁଲିସ ଜବତ କରିଛି।
 

ଅଭିଯୋଗ ଅନୁଯାୟୀ ରାଜେଶ ଓ ବୈଭବ ସାମନ୍ତରାପୁରସ୍ଥିତ ରିଲାଏନ୍‌ସ ଫ୍ରେସ୍‌ ପଛ ପାଖରେ ଥିବା ପ୍ଲଟ୍‌ ନଂ ୨୧୭୨/୫୧୧ରେ କୌଟିଲ୍ୟ ଇନଷ୍ଟିଚ୍ୟୁଟ୍‌ ନାମରେ ଏକ ସଂସ୍ଥା ଖୋଲିଥିଲେ। ସେମାନେ ସହଜରେ କଶ୍ମୀରର କଶ୍ମୀର ବିଶ୍ୱବିଦ୍ୟାଳୟରେ ବିଇଡି ପରୀକ୍ଷା କରାଇ ଦେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରଲୋଭନ ଦେଖାଇ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିଲେ। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୨ଶହରୁ ଊର୍ଧ୍ୱ ଛାତ୍ରଛତ୍ରୀଙ୍କଠାରୁ ଏହି ପରୀକ୍ଷା କରାଇଦେବା ପାଇଁ ସେମାନେ ପ୍ରତି ଛାତ୍ରଛାତ୍ରୀଙ୍କ ପିଛା ୬୦ହଜାର ଟଙ୍କା ନେବା ସହ ପରୀକ୍ଷା ବେଳେ ରହିବା ଖାଇବା ପାଇଁ ୨୦ହଜାର ଟଙ୍କା ଲେଖାଏଁ ନେଇଥିଲେ।

ଏ ନେଇ ସଂସ୍ଥା ପକ୍ଷରୁ ଓଡ଼ିଶାର ବିଭିନ୍ନ କଲେଜର ଜଣେ ଜଣେ ଅଧ୍ୟପକଙ୍କ ସହଯୋଗରେ ପିଲା ଯୋଗାଡ଼ କରାଯାଉଥିଲା।  ଏପରିକି ଗତ ବର୍ଷ ଜୁଲାଇ ମାସରେ ଏହି ଛାତ୍ରଛାତ୍ରୀମାନେ କଶ୍ମୀରକୁ ପରୀକ୍ଷା ଦେବାକୁ ଯାଇଥିଲେ। କିନ୍ତୁ ସେଠାରେ ଥିବା କଶ୍ମୀର ବିଶ୍ୱବିଦ୍ୟାଳୟରେ ନାଁ ରେଜିଷ୍ଟ୍ରି ହୋଇଥିଲେ ମଧ୍ୟ କୌଟିଲ୍ୟ ଇନଷ୍ଟିଚ୍ୟୁଟ୍‌ ଟଙ୍କା ଦାଖଲ କରିନଥିବାରୁ ସେମାନେ ପରୀକ୍ଷା ଦେଇ ପାରିନଥିଲେ। ସେହି ସମୟରେ କଶ୍ମୀରରେ ଦଙ୍ଗା ହେବାରୁ ଛାତ୍ରଛାତ୍ରୀଙ୍କୁ ୨୦ଦିନ ପର୍ଯ୍ୟନ୍ତ ବନ୍ଦ ଘରେ ରହିବାକୁ ପଡ଼ିଥିଲା।
 

ସେମାନେ କଶ୍ମୀରରୁ ଫେରିଲା ବେଳକୁ ସାମନ୍ତରାପୁର କୌଟିଲ୍ୟ ଇନଷ୍ଟିଚ୍ୟୁଟ୍‌ରେ ତାଲା ପଡ଼ଥିଲା। ତେବେ ଆଜି କେତେକ ଛାତ୍ର ଓ ତାଙ୍କ ସମ୍ପର୍କୀୟମାନେ କୌଟିଲ୍ୟ ଇନ୍‌ଷ୍ଟିଚ୍ୟୁଟ୍‌ କାର୍ଯ୍ୟାଳୟକୁ ଆସିଥିବା ବେଳେ ରାଜେଶ ଓ ବୈଭବ କାର୍ଯ୍ୟାଳୟରୁ ବିଭିନ୍ନ ସାମଗ୍ରୀ ନେଇ ପଳାଇ ଯାଉଥିବା ଦେଖିବାକୁ ପାଇଥିଲେ। ତେଣୁ ସେମାନେ ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ଫୋନ୍‌ରେ ଡାକିବା ସହ ରାଜେଶ ଓ ବୈଭବଙ୍କୁ କାବୁ କରି ପୁଲିସର ଜିମା ଦେଇଥିଲେ। 

image