20 October 2017
3:07:20 AM
Sambad News
ବାଣିଜ୍ୟ

‘ସେବା ଶୁଳ୍କ’ ଅନୁଚିତ ପ୍ରଥା: ଗ୍ରାହକମାନେ ଏହି ଶୁଳ୍କ ଦେବା ଦରକାର ନାହିଁ: ପାଶଓ୍ଵାନ

By Sambad | Date: Jan 12 2017 1:41AM
‘ସେବା ଶୁଳ୍କ’ ଅନୁଚିତ ପ୍ରଥା: ଗ୍ରାହକମାନେ ଏହି ଶୁଳ୍କ ଦେବା ଦରକାର ନାହିଁ: ପାଶଓ୍ଵାନ

ନୂଆଦିଲ୍ଲୀ: ସେବା ଶୁଳ୍କ ବାଧ୍ୟତାମୂଳକ ନୁହେଁ ବୋଲି ସରକାର ନିକଟରେ ଘୋଷଣା କରିଥିଲେ। ଏହି ନିଷ୍ପତ୍ତିକୁ ସମର୍ଥନ କରି ଖାଦ୍ୟ ମନ୍ତ୍ରୀ ରାମବିଳାସ ପାଶଓ୍ଵାନ କହିଛନ୍ତି ଯେ ଗ୍ରାହକମାନେ ସେବା ଶୁଳ୍କ ଦେବା ଦରକାର ନାହିଁ। ଏହା ଏକ ଅନୁଚିତ ବ୍ୟବସାୟ ପ୍ରଥା ବୋଲି ସେ କହିଛନ୍ତି। ନିୟମ ଅନୁସାରେ ସେବା ଶୁଳ୍କ ହେଉଛି ସ୍ୱେଚ୍ଛାକୃତ ଉପାଦାନ। ଯେଉଁ ଗ୍ରାହକ ଏହି ଶୁଳ୍ପ ଦେବାକୁ ଚାହିଁବେ, ସେମାନେ ତାହା ପ୍ରଦାନ କରିପାରିବେ। ମାତ୍ର ଦେଶରେ ଅନେକ ହୋଟେଲ୍‌ ଓ ରେସ୍ତୋରାଁ ବିଲ୍‌ରେ ସେବା ଶୁଳ୍କକୁ ବାଧ୍ୟତାମୂଳକ ଉପାଦାନ ଭାବେ ଗ୍ରହଣ କରାଯାଉଛି।

ହୋଟେଲ୍‌ର ଖାଦ୍ୟ ମେନୁରେ ସମସ୍ତ ଖର୍ଚ ସହିତ ସେବା ଶୁଳ୍କ ଉପାଦାନ ବିଷୟରେ ହୋଟେଲ୍‌ ଓ ରେସ୍ତୋରାଁଗୁଡ଼ିକ ଉଲ୍ଲେଖ କରିବା ଉଚିତ। ସେବା ଶୁଳ୍କ ଜରିଆରେ ଯେଉଁ ଅର୍ଥ ସଂଗ୍ରହ କରାଯାଉଛି ତାହା ଗରିବ େଓ୍ଵଟରମାନଙ୍କ ମଧ୍ୟରେ ବାଣ୍ଟିବା ଦରକାର ବୋଲି ସେ କହିଛନ୍ତି। ଏହି ପ୍ରକାର ସମସ୍ୟାଗୁଡ଼ିକର ମୁକାବିଲା କରିବାକୁ ସରକାର ନୂଆ ଉପଭୋକ୍ତା ସୁରକ୍ଷା ନିୟମରେ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଏହି ବିଲ୍‌ ବଜେଟ୍‌ ଅଧିବେଶନରେ ଗୃହିତ ହେବ ବୋଲି ଆଶା କରାଯାଉଛି। ଶ୍ରୀ ପାଶଓ୍ଵାନ କହିଛନ୍ତି ଯେ ପ୍ରଚଳିତ ନିୟମର କୌଣସିଠାରେ ସେବା ଶୁଳ୍କ ବିଷୟରେ ଉଲ୍ଲେଖ କରାଯାଇନାହିଁ। ଯଦି ଏହି ଶୁଳ୍କ ଗ୍ରାହକଙ୍କ  ଅଜାଣତରେ ସଂଗ୍ରହ କରାଯାଉଛି, ତେବେ ତାହା ଏକ ଅନୁଚିତ ବ୍ୟବସାୟ ପ୍ରକ୍ରିୟା। 

ହୋଟେଲ୍‌ ଓ ରେସ୍ତୋରାଁ ବିଲ୍‌ରେ ସେବା କର ଏକ ବାଧ୍ୟତାମୂଳକ ଉପାଦାନ ହୋଇଥିବା ବେଳେ ସେବା ଶୁଳ୍କ ହେଉଛି ସ୍ୱେଚ୍ଛାକୃତ ଉପାଦାନ। ଯଦି ଗ୍ରାହକ ସେବାକୁ ନେଇ ସନ୍ତୁଷ୍ଟ ଥିବେ ତେବେ ସେ ନିଜ ଇଛାରେ ସେବା ଶୁଳ୍କ ଦେଇପାରିବେ। ସେବା ଶୁଳ୍କ ବାବଦରେ ଯେଉଁ ଅର୍ଥ ସଂଗ୍ରହ କରାଯିବ ତାହା ନିୟମିତ ବ୍ୟବଧାନରେ େଓ୍ଵଟରମାନଙ୍କ ଖାତାରେ ଜମା ହେବା ଉଚିତ ବୋଲି ଶ୍ରୀ ପାଶଓ୍ଵାନ କହିଛନ୍ତି। ହୋଟେଲ୍‌ ଓ ରେସ୍ତୋରାଁଗୁଡ଼ିକ ସେବା ଶୁଳ୍କ ବାବଦରେ ୫-୨୦ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ବିଲ୍‌ରେ ଲାଗୁ କରୁଛନ୍ତି ବୋଲି ଅନେକ ଗ୍ରାହକ ଅଭିଯୋଗ କରିବା ପରେ ସରକାରଙ୍କ ପକ୍ଷରୁ ସେବା ଶୁଳ୍କ ବାଧ୍ୟତାମୂଳକ ନୁହେଁ କୁହାଯାଇଥିଲା। 

ସଂକ୍ଷେପରେ...

  1. ବିଶ୍ୱବ୍ୟାଙ୍କ ପକ୍ଷରୁ ଆକଳନ କରାଯାଇଛି ଯେ ୨୦୧୬-୧୭ରେ ଭାରତର ଅଭିବୃଦ୍ଧି ହାର ୭.୧ ପ୍ରତିଶତକୁ ଖସିଯିବ। ବିମୁଦ୍ରାକରଣ ପୂର୍ବରୁ ବିଶ୍ୱବ୍ୟାଙ୍କ କହିଥିଲା ଯେ ଅଭିବୃଦ୍ଧି ହାର ୭.୬ ପ୍ରତିଶତ ହେବ।

  2. ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‌ କହିଛନ୍ତି ଯେ ବିମୁଦ୍ରାକରଣ ଯୋଗୁଁ ଜିଡିପିର ୧.୫ ଲକ୍ଷ କୋଟି କ୍ଷତି ହେବ। 

  3. ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଛନ୍ତି ଯେ ବିମୁଦ୍ରାକରଣ ଯୋଗୁଁ ସ୍ଥିତି ଆହୁରି ଖରାପ ହେବ। 

  4. ଭାଇବ୍ରାଣ୍ଟ୍‌ ଗୁଜରାଟ୍‌ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ୍‌ କହିଛନ୍ତି ଯେ ଜି୨୦ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତର ବିତ୍ତୀୟ ନିଅଣ୍ଟ ସର୍ବାଧିକ। ଋଣ ଉପରେ ସରକାରଙ୍କୁ ଚିନ୍ତା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

  5. ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି କହିଛନ୍ତି ଯେ ଏପ୍ରିଲ୍‌ ୧ରୁ ଜିଏସ୍‌ଟି ଲାଗୁ ହୋଇପାରିବ ବୋଲି ସେ ଆଶା କରୁଛନ୍ତି।

  6. ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ବିତାଡ଼ିତ ସାଇରସ୍‌ ମିସ୍ତ୍ରୀଙ୍କ ନିବେଶ କଂପାନି ପକ୍ଷରୁ ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍‌ରେ ଟାଟା ବିରୋଧରେ ମାନହାନି ମକଦ୍ଦମା ଦାୟର କରାଯାଇଛି।

  7. ବ୍ୟାଙ୍କଗୁଡ଼ିକ ପକ୍ଷରୁ ଦାଖଲ କରାଯାଇଥିବା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବିଜୟ ମାଲ୍ୟାଙ୍କୁ ନୋଟିସ୍‌ ଜାରି କରିଛନ୍ତି। ତିନି ସପ୍ତାହ ଭିତରେ ଜବାବ ଦେବାକୁ କହିଛନ୍ତି। 

image