19 November 2017
4:48:54 AM
Sambad News
ବାଣିଜ୍ୟ

ତୈଳ ଦର ନିୟନ୍ତ୍ରଣ ଲାଗି ହସ୍ତକ୍ଷେପ କରିବେ ନାହିଁ ସରକାର: ପେଟ୍ରୋଲିୟମ୍‌ ମନ୍ତ୍ରୀ

By Sambad | Date: Sep 13 2017 10:45PM
ତୈଳ ଦର ନିୟନ୍ତ୍ରଣ ଲାଗି ହସ୍ତକ୍ଷେପ କରିବେ ନାହିଁ ସରକାର: ପେଟ୍ରୋଲିୟମ୍‌ ମନ୍ତ୍ରୀ

ନୂଆଦିଲ୍ଲୀ: ଗତ ଜୁଲାଇ ମାସରୁ ଏ ଭିତରେ ଲିଟର ପିଛା ପେଟ୍ରୋଲ୍‌ ଡିଜେଲ୍‌ ଦରରେ ୭ ଟଙ୍କାରୁ ଅଧିକ ବଢ଼ିବା ପରେ ସବୁ ମହଲରେ ଚିନ୍ତା ବଢ଼ିଛି। ଅନ୍ତରାଷ୍ଟ୍ରୀୟ ତୈଳ ଦର ଅନୁସାରେ ତୈଳ କମ୍ପାନିମାନଙ୍କରେ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ୍‌ ଦର ନିର୍ଦ୍ଧାରିତ ହେଉଛି। ଏହି ବ୍ୟବସ୍ଥା ଲାଗୁ ହେବା ପରେ ପେଟ୍ରୋଲ୍‌-ଡିଜେଲ୍‌ ଦର ବଢ଼ିଚାଲିଛି। ଏହାକୁ ନେଇ ଖାଉଟିମାନେ ଚିନ୍ତିତ ହୋଇପଡ଼ିଛନ୍ତି। ତେବେ, ଏହି ପରିସ୍ଥିତିରେ ସରକାରୀ ହସ୍ତକ୍ଷେପ ଜରିଅାରେ ତୈଳ କମାଇବା ନେଇ କୌଣସି ପ୍ରକାର ସମ୍ଭାବନାକୁ ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ ବୁଧବାର କହିଛନ୍ତି ଯେ କେନ୍ଦ୍ର ସରକାର ତୈଳ ଦର ନେଇ ଜାରି ହୋଇଥିବା ସଂସ୍କାର ପ୍ରକ୍ରିୟାରେ ହସ୍ତକ୍ଷେପ କରିବେ ନାହିଁ।
 
ଏଥିସହ ପେଟ୍ରୋଲିୟମ୍‌ ମନ୍ତ୍ରୀ ଶ୍ରୀ ପ୍ରଧାନ ପେଟ୍ରୋଲ୍‌-ଡିଜେଲ୍‌ ଉପରୁ କର ହ୍ରାସ ନେଇ ମଧ୍ୟ କୌଣସି ଯୋଜନା ନ ଥିବା କଥା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ‘କର ହ୍ରାସ ହେବା ଫଳରେ ବିଭିନ୍ନ ସମାଜ ମଙ୍ଗଳ ଯୋଜନା ଏବଂ ଭିତ୍ତିଭୂମି ବିକାଶ ଯୋଜନା ଲାଗି ଅର୍ଥାଭାବ ହେବ।’
 
ସରକାରଙ୍କ ଦ୍ୱାରା ପରିଚାଳିତ ତୈଳ କମ୍ପାନିମାନଙ୍କର ମୁଖ୍ୟଙ୍କ ବୈଠକରେ ଯୋଗ ଦେବା ପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ତୈଳ କମ୍ପାନିଗୁଡ଼କର ଦୈନନ୍ଦିନ କାରବାରରେ ହସ୍ତକ୍ଷେପ କରିବାର  କୌଣସି ଆବଶ୍ୟକତା ନାହିଁ। ସରକାର କେବଳ କମ୍ପାନିଙ୍କର କାର୍ଯ୍ୟ ଦକ୍ଷତା ଓ ସେବାର ସ୍ତରକୁ ନେଇ ସମୀକ୍ଷା କରିବେ।

image