23 October 2017
6:58:35 PM
Sambad News
ରାଜ୍ୟ

ଡାକ୍ତରଙ୍କ ଦ୍ୱାରା ଶିଶୁ ମୃତ ଘୋଷଣା : ୭ ଦିନ ପରେ ବଞ୍ଚାଇବା ଆଶାରେ ଗୁଣିଗାରେଡି

By Sambad | Date: Dec 13 2016 10:30PM
ଡାକ୍ତରଙ୍କ ଦ୍ୱାରା ଶିଶୁ ମୃତ ଘୋଷଣା : ୭ ଦିନ ପରେ ବଞ୍ଚାଇବା ଆଶାରେ ଗୁଣିଗାରେଡି

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ସରସରା ପଞ୍ଚାୟତର ସାନବଙ୍କାପଡା ଗାଁର ଗୋପବନ୍ଧୁ କହଁରଙ୍କ ଝିଅ ଶ୍ରାବଣୀ(୧୦)କୁ ଡାକ୍ତର ୭ ଦିନ ତଳେ ମୃତ ଘୋଷଣା କରିଥିଲେ। ହେଲେ ଶବ ସତ୍କାର କରାନଯାଇ ବଞ୍ଚିବାର ଆଶାରେ ପରିବାରବର୍ଗ ଗୁଣି ଗାରେଡ଼ିର ସାହାଯ୍ୟ ନେଇଥିବା ଚର୍ଚ୍ଚାର ବିଷୟ ହୋଇଛି।
 
ପ୍ରକାଶ ଯେ ଶ୍ରାବଣୀର ଦେହ ଖରାପ ହେବାରୁ ଗତ ୨୯ ତାରିଖ ଦିନ ତାକୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଅନ୍ୟତ୍ର ନେବାକୁ ପରାମର୍ଶ ଦେଇଥିଲେ। ପରେ ଶ୍ରାବଣୀକୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ମଧ୍ୟ ଡାକ୍ତର ଅନ୍ୟତ୍ର ନେବାକୁ ପରାମର୍ଶ ଦେଇଥିଲେ। ପରିବାର ଲୋକେ ହତାଶ ହୋଇ ଶ୍ରାବଣୀକୁ କଟକ ବଡ଼ ଡାକ୍ତରଖାନକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୭ ତାରିଖରେ ତାର  ମୃତ୍ୟୁ ଘଟିଥିଲା। ସେଠାରୁ ମହାପ୍ରଣାୟମ ଗାଡ଼ିରେ ନିଜ ଗାଁକୁ ଅଣାଯାଇଥିଲା । 
 
ମୃତ ଝିଅକୁ ବସନ୍ତ ହୋଇଥିବାରୁ ପରିବାର ଲୋକେ ତାକୁ ସଂସ୍କାର ନକରି ମହାନଦୀରେ ଏକ ପଥର ଖୋଲ ମଧ୍ୟରେ ଛାଡି ଦେଇ ମରଶରୀର ଉପରେ ନିମ୍ବ ଡାଳ ଢାଙ୍କିଦେଇ ସେଠାରୁ ଚାଲି ଆସିଥିଲେ। ହେଲେ ମୃତ୍ୟୁର ୬ ଦିନ ପରେ ଅର୍ଥାତ ସୋମବାର ଦିନ ପରିବାର ଲୋକ ଜାଣିବାକୁ ପାଇଲେ ଯେ ଶବରୁ ଗନ୍ଧବାହାରୁ ନାହିଁ କିମ୍ବା ଫୁଲି ନାହିଁ। ଫଳରେ ମୃତ ଶିଶୁ ବଞ୍ଚିିଥିବା ଆଶା କରି ପରିବାର ଲୋକ ଫୁଲବାଣୀର ଜଣେ ଗୁଣିଆଙ୍କ ସହାୟତା ଲୋଡ଼ିଥିଲେ। ଉକ୍ତ ଗୁଣିଆ ଭରସାରେ ପରିବାର ଲୋକ ଓ କିଛି ଗ୍ରାମବାସୀ ମହାନଦୀରେ ସୋମବାରଠାରୁ ଶବକୁ ଜଗି ବସିଛନ୍ତି। 
 
ମଙ୍ଗଳବାର ଗୁଣିଆ ଠାରୁ ଏକ ମନ୍ତ୍ରପାଣି ଅଣାଯାଇ ତାର ଶରୀର ଉପରେ ପକାଯାଇଛି। ଧୂପଦୀପ ଦେଇ ସେଠାରେ ପୂଜାର୍ଚ୍ଚନା କରାଯାଉଛି। ସେପଟେ ଗୁଣିଆ ଫୁଲବାଣୀର ଏକ ମନ୍ଦିରରେ ଅଖଣ୍ଡ ଦୀପ ଜଳାଇ ପୂଜା କରୁଛନ୍ତି। ଏନେଇ ଅଂଚଳରେ ଚର୍ଚ୍ଚା ଯୋର ଧରିଛି। ଏଭଳି ଏକ ଅସାଧାରଣ କାଯ୍ୟର୍କୁ ଦେଖିବାକୁ ମହାନଦୀ ବାଲି ଶଯ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । 
 
ପ୍ରକାଶ ଯେ ଗତ ଅକ୍ଟୋବର ମାସ ୧୫ ତାରିଖରେ ଲୁଣୀବାହାଲ ପଂଚାୟତର ଲଇଗାଁର ଏକ ୬ ବର୍ଷର ଶିଶୁକୁ ଡାକ୍ତର ମୃତ ଘୋଷଣା କରିଥିଲେ। ହେଲେ ପରିବାର ଲୋକ ତାହା ନମାନି ଗୁଣିଗାରେଡି କରିଥିଲେ। କିନ୍ତୁ ସବୁ ଉଦ୍ୟମ ବିଫଳ ହୋଇଥିଲା।

image