19 October 2017
5:12:34 AM
Sambad News
ଭଦ୍ରକ

ଅଧୁରା ରହିଲା ମୁଠା ମୁଠା ସ୍ୱପ୍ନ

By Sambad | Date: Dec 31 2016 11:34AM
ଅଧୁରା ରହିଲା ମୁଠା ମୁଠା ସ୍ୱପ୍ନ

ଭଦ୍ରକ: ଭଦ୍ରକ ଜିଲ୍ଲାର ଧାମରା ବନ୍ଦର ସଂପ୍ରସାରଣ, ନିଯୁକ୍ତି, ରାଜପଥ ଓ ରେଳ ପଥ ନିର୍ମାଣ। ଚିନିକଳ, ବିଶ୍ୱବିଦ୍ୟାଳୟ, ବିଇଡି କଲେଜ, ନର୍ସିଂ କଲେଜ, ଜିଲ୍ଲା ଜେଲ୍‌, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଷ୍ଟାଡିୟମ୍‌, ତିନିତର, ମନ୍ତେଇ ଓ ଚୌଧୁରୀ ଘାଟରେ ସେତୁ, ବିଦ୍ୟୁତ୍‌ ଓ ଭିଜିଲାନସ୍‌ କୋର୍ଟ, ବୈତରଣୀର ବାମପାର୍ଶ୍ୱକୁ କ୍ୟାପିଟାଲ ଆମ୍ବାକ୍‌ମେଣ୍ଟ ଘୋଷଣା ପ୍ରସଙ୍ଗ ସବୁ କିଛି ଧୂଆଁବାଣ। ସବୁ ମିଛ ପ୍ରତିଶ୍ରୁତି ଭିତରେ ଷୋହଳ ଚାଲିଯାଉଛି ଜିଲ୍ଲାବାସୀଙ୍କୁ କେବଳ ମେଞ୍ଚେ ସ୍ୱପ୍ନ ଦେଖାଇ।
 

ଆସୁଛି ନୂଆ ବର୍ଷ ସତର। କିଛି ପୁରୁଣା ସ୍ମୃତି, ସମ୍ଭାବନା ଓ ପ୍ରତିଶ୍ରୁତି   ଜିଲ୍ଲାବସୀଙ୍କ ପାଇଁ  ସ୍ୱପ୍ନ ହୋଇ ରହିଗଲା। ଦାବିରେ ଦାବିରେ ସରିଗଲା ବର୍ଷ । ପୂରଣ ହେଲା ନାହିଁ ସ୍ୱପ୍ନ। ବିକାଶ ଧାରା  ମନ୍ଥର । ଯେତିକି ପ୍ରତିଶ୍ରୁତି ତାଠାରୁ ଢେର୍‌ ପ୍ରତାରଣା। ଜିଲ୍ଲାର ବିକାଶ ପାଇଁ ଯେଉଁ ପ୍ରମୁଖ ଯୋଜନା ନେଇ ସାଧାରଣ ଲୋକଙ୍କ ପାଇଁ ପ୍ରଶାସନ ଠାରୁ ଆରମ୍ଭ କରି ରାଜନେତାଙ୍କ ପଯ୍ୟର୍ନ୍ତ ସ୍ୱପ୍ନ ଦେଖିଥିଲେ। ପ୍ରତିଶ୍ରୁତି ଦେଇଥିଲେ। ସବୁ ସେମିତି ସରକାରଙ୍କର ନାଲି ନଥିରେ ବନ୍ଧା ହୋଇ ରହିଗଲା। ଜିଲ୍ଲାର ସାମଗ୍ରୀକ ବିକାଶ ପାଇଁ ଧାମରା ବନ୍ଦରରେ ସ୍ଥାନୀୟ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାରେ ବନ୍ଦର କର୍ତ୍ତୃପକ୍ଷ ମୁହଁ ମୋଡି ଦେଲେ।

ବାହାର ରାଜ୍ୟର ଲୋକଙ୍କୁ ମୋଟା ଅଙ୍କରେ ଦରମା ଦେଇ ଆଦାନି କମ୍ପାନି ଏଠାରେ ମେରୀରାୟ ନୀତି ଚଳାଇଲା। ଧାମରା ବନ୍ଦର ହେବା ପରେ ଲୋକଙ୍କ ଭିତରେ ବିକାଶକୁ ନେଇ ଯେଉଁ ସ୍ୱପ୍ନ ଥିଲା। ଚାକିରୀ ମିଳିବାକୁ ନେଇ ଯେଉଁ ସମ୍ଭାବନା ଥିଲା। ସେସବୁ ପାଣିଚିଆ ପଡିଗଲା। କମ୍ପାନିର ଫାଇଦା ପାଇଁ ସରକାର ବ୍ୟଗ୍ର ଥିବା ବେଳେ ସ୍ଥାନୀୟ ଲୋକଙ୍କର ଦୁଃଖ ବୁଝିବାରେ କେହି ଶୁଣିଲେ ନାହିଁ। ଯାହା ବନ୍ଦର କମ୍ପାନି ଆଦାନିକୁ ବେଶ୍‌ ସୁହାଉଛି। ଆଦାନି ବନ୍ଦରରୁ ଫାଇଦା  ନେଇ ପୁଣି  ଟାଟା ଓ ଏଲଆଣ୍ଡଟି କମ୍ପାନିଙ୍କ ପରି  ଚମ୍ପଟ୍‌ ମାରିବାର ଚକ୍‌ରରେ ରହିଛି। ବନ୍ଦର  ଜିଲ୍ଲାବାସୀଙ୍କର ଭାଗ୍ୟ ବଦଳାଇଲା ନାହିଁ ବରଂ ଲୋକଙ୍କର ଭାଗ୍ୟ ବିଗାଡି ଦେଇଛି।
 

ସେହିପରି  ଚିନିକଳ ପ୍ରତିଷ୍ଠା  ଜିଲ୍ଲାବାସୀଙ୍କ ପାଇଁ ଆଉ ଏକ ଶିଳ୍ପ ପାଇଁ ସ୍ୱପ୍ନ ଦେଖାଇଥିଲା।  ୧୯୯୦ ଦଶକରେ ଏକ କୃଷି ଭିତ୍ତିିକ ଶିଳ୍ପ ଚିନକଳ ପ୍ରତିଷ୍ଠା ପାଇଁ ସରକାର ସବୁଜ ସଙ୍କେତ ଦେଇଥିଲେ। ସଙ୍କେତ ପାଇବା ପରେ ‘ଧରଣୀ ସୁଗାର’କୁ ଭଣ୍ଡାରିପୋଖରୀ  ଅଞ୍ଚଳରେ ୫ ନମ୍ବର ଜାତୀୟ ରାଜପଥ କଡରେ ଶହ ଶହ ଏକର ମୂଲ୍ୟବାନ ଚାଷ ଜମିକୁ ଚାଷୀମାନେ ଶାଗମାଛ ଦରରେ ଟେକି ଦେଇଥିଲେ। ଚିନିକଳ ପାଇଁ ଯେଉଁ ଜମି ଅଧିଗ୍ରହଣ ହୋଇଥିଲା ତାହା ଏବେ ପଡିଆ ପଡିଛି। ଇଡ୍‌କୋ ଅଧୀନରେ ରହିଛି ଏଇ  ଜମି। ଚିନିକଳ ପାଇଁ ଲୋକେ ଜମି ଦେଇଥିଲ।

ଏବେ  ଲୋକଙ୍କ ଦାବି  ଚିନି କଳ ପ୍ରତିଷ୍ଠା କର, ନ ହେଲେ ଆମ ଜମି ଫେରାଅ। ଏମିତି ଦାବି ଉଠିବା ପରେ  ଗତ ଚାରି ବର୍ଷ ତଳେ ଜିଲ୍ଲାପାଳଙ୍କ ମାର୍ଫତରେ ଏକ ବୈଠକ ବସି ଆଲୋଚନା ହୋଇଥିଲା। ଆଲୋଚନା ପରେ ଆଉ କିଛି  ଆଗକୁ ଯାଇ ନାହିଁପ୍ରକଳ୍ପା ଲୋକଙ୍କର ଚିନି କଳ ସ୍ୱପ୍ନ ଆଜକୁ ୨୬ ବର୍ଷ ଧରି ସେମିତି ସ୍ୱପ୍ନରେ ରହିଛି। ଏବେ ସରକାର ଏଠାରେ ଫୁଡ୍‌ ପାର୍କ ପ୍ରତିଷ୍ଠା କରିବା ପାଇଁ ଯୋଜନା କରିଛନ୍ତି। ତେବେ ସରକାରଙ୍କର ଏଇ ଫୁଡ୍‌ପାର୍କ ଘୋଷଣା  ଆଉ ଏକ ପ୍ରହସନପାଲଟିଛି।
 

ଶିକ୍ଷାର ବିକାଶ ପାଇଁ ୧୯୪୮ ମସିହାରେ କିଛି ବୁଦ୍ଧିଜୀବୀ ଓ ବଦାନ୍ୟ ବ୍ୟକ୍ତିଙ୍କ ପ୍ରଚେଷ୍ଟାରେ ଭଦ୍ରକରେ କଲେଜ ପ୍ରତିଷ୍ଠା ହୋଇଥିଲା । ଏହା ଏବେ ସ୍ୱୟଂଶାସିତ କଲେଜର ମାନ୍ୟତା ପାଇଛିା ଏହାକୁ ଏକକ ବିଶ୍ୱବିଦ୍ୟାଳୟ କରିବା ପାଇଁ ଦାବି ହେଉଛି। ଭଦ୍ରକ କଲେଜ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇବା ପାଇଁ ହକ୍‌ଦାର ଥିବାବେଳେ ଏଇ ଦାବି ନେଇ ଗତ ୬ ବର୍ଷ ହେଲା କଲେଜର ପୁରାତନ ଛାତ୍ର ସଂଘ ଓ ଶିକ୍ଷାବିତମାନେ ଦାବି ଉଠାଇ ଆସୁଥିଲେ ମଧ୍ୟ  ରାଜ୍ୟ ସରକାର  ଏହାକୁ ବିଶ୍ୱବିଦ୍ୟାଳୟ ଘୋଷଣା କରୁ ନାହାନ୍ତି। ରାଣୀତାଲସ୍ଥିତ କୃଷି ଗବେଷଣା କେନ୍ଦ୍ରକୁ କୃଷି ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରିବାକୁ ଦାବି ହେଉଛି। ଭଦ୍ରକରେ ମେଡିକାଲ କଲେଜ।

ଏମସ୍‌ର ସେଟଲାଇଟ୍‌ ହସ୍ପପିଟାଲ ଖୋଲିବା ପାଇଁ  ଭଦ୍ରକବାସୀ ଦାବି କରୁଛନ୍ତି। ଭଦ୍ରକ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବାରଂବାର ଦାବି ହୋଇଛି। ଜିଲ୍ଲା ହସପିଟାଲ ପାଇଁ ସରକାର ପ୍ରଥମ ପଯ୍ୟର୍ାୟରେ ୨୦୦ କୋଟି ଟଙ୍କା ଦେଇଥିବା ବେଳେ କାମ ଅଟକିଛି। ଗେଲପୁରକୁ କେବେ ଯିବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ତାହାକୁ ନେଇ ପ୍ରଶ୍ନ ଉଠିଛି। ସେହିପରି ଜିଲ୍ଲା ଜେଲ୍‌ ପ୍ରତିଷ୍ଠା ପାଇଁ  ରାନ୍ଦିଆ ମୌଜାର  ଅମରଗଡିଆ ଠାରେ ଜମି  ଯୋଗାଇ ଦିଆଯାଇଥିଲେ ମଧ୍ୟ ସେଠାରେ ଜେଲ୍‌ ନିର୍ମାଣ କରାଯାଉ ନାହିଁ। ଭଦ୍ରକ ନର୍ସିଂ କଲେଜ ପ୍ରତିଷ୍ଠା ପାଇଁ ସରକାର ସବୁଜ ସଙ୍କେତ ଦେଇଥିଲେ।

୧୦୦ ସିଟ୍‌ ବିଶିଷ୍ଟ ନର୍ସିଂ କଲେଜ ନିର୍ମାଣ ନେଇ ପ୍ରଶାସନ କି ସ୍ୱାସ୍ଥ୍ୟ ବିଭାଗ ପାଟି ଖୋଲୁ ନାହାନ୍ତି। ଜିଲ୍ଲାସ୍ତରୀୟ ଷ୍ଟାଡିୟମ୍‌ ପାଇଁ କ୍ରୀଡା ବିଭାଗ ପକ୍ଷରୁ  ଜମିଚିହ୍ନଟ ନେଇ ନିର୍ଦ୍ଦେଶ ଆସିଥିଲେ ମଧ୍ୟ ଜମିଚିହ୍ନଟ ହୋଇପାରୁ ନଥିବାରୁ ଷ୍ଟାଡିୟମ୍‌ ନିର୍ମାଣ ହେବାରେ ବାଧା ସୃଷ୍ଟି ହୋଇଛି।ଏଇସବୁ ପ୍ରମୁଖ ଦାବି ନେଇ ଜିଲ୍ଲାର ବିଭିନ୍ନ ଫୋରମ୍‌  ପକ୍ଷରୁ ଆନ୍ଦୋଳନ ବର୍ଷ ତମାମ ହେଉଛି। ଫଳ କିଛି ମିଳି ନାହିଁ। ବର୍ଷ ଶେଷ ହୋଇଗଲା, ପୂରଣ ହେଲାନି ଜିଲ୍ଲାବାସୀଙ୍କର ସ୍ୱପ୍ନ।

image