23 October 2017
12:26:12 AM
Sambad News
ଭଦ୍ରକ

କରଞ୍ଜମାଳ ଫରେଷ୍ଟ୍‌ ଗେଟ୍‌

୧୬ ବର୍ଷରେ ଧରିଛି ୨ ଚୋରା କାଠ ଗାଡ଼ି

By Sambad | Date: Dec 28 2016 5:38AM
କରଞ୍ଜମାଳ ଫରେଷ୍ଟ୍‌ ଗେଟ୍‌

ଧାମରା: ଚାନ୍ଦବାଲି ରେଞ୍ଜ୍‌ ଅଫିସ୍‌ ଅଧିନରେ କରଞ୍ଜମାଳ ଫରେଷ୍ଟ୍‌ ଚେକ୍‌ ଗେଟ୍‌ ଅଛି । ଏହି ଗେଟ୍‌ରୁ ବାର୍ଷିକ ରାଜସ୍ୱ ଆଦାୟ ହେବାର ନିୟମ ନାହିଁ । କେବଳ ଚୋରା କାଠ ଗାଡିକୁ ଧରିବା ଏହି ଗେଟ୍‌ର ମୁଖ୍ୟ କାମ। ଏହାକୁ ଜଗିବା ପାଇଁ ଫରେଷ୍ଟର୍‌ଙ୍କୁ କୌଣସି ଦରମା ଦିଆଯାଇ ନାହିଁ । କିନ୍ତୁ ୨୦୧୧ ରୁ ୨୦୧୬ ବର୍ଷ ମଧ୍ୟରେ ଫରେଷ୍ଟର୍‌ଙ୍କୁ କେବଳ ଦରମା ଦିଆଯାଇଛି। ଫରେଷ୍ଟର୍‌ କୃଷ୍ଣଚନ୍ଦ୍ର ସେଠୀଙ୍କୁ ୧ ଲକ୍ଷ ୧୦ହଜାର, ମହେନ୍ଦ୍ର ପରିଡାଙ୍କୁ ୪ ଲକ୍ଷ ୫୦ ହଜାର, ଅତୁଲ ମହାନ୍ତିଙ୍କୁ ୨୦ ହଜାର ୮ଶହ, ଗଣେଶ ବେହେରାଙ୍କୁ ୩ଲକ୍ଷ ୪୩ ହଜାର ଟଙ୍କା ଦିଆଯାଇଛି ।

୪ ଫରେଷ୍ଟର୍‌ ୫ ବର୍ଷରେ ମୋଟ ୯ଲକ୍ଷ ୨୩ହଜାର ୮ଶହ ଟଙ୍କା ନେଇଥିବା ଆର୍‌ଟିଆଇ ତଥ୍ୟ ମୂଳେ ଜଣାଯାଇଛି । ଏହି ୧୬ ବର୍ଷ ମଧ୍ୟରେ ଏହି ଗେଟ୍‌ ମାତ୍ର ୨ଟି ଚୋରା କାଠ ଗାଡି ଧରିଛି । ଦୁଇ ଚୋରା କାଠ ବେପାରୀ ହେଉଛନ୍ତି ସାବରଙ୍ଗ ଗାଁର ଶେଖ୍‌ ଇସଲାମ୍‌  ଓ ଧାମରା ଗାଁର ନିରଞ୍ଜନ ମଣ୍ଡଳ । ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ଆର୍‌ଟିଆଇ ତଥ୍ୟ ବନ ବିଭାଗର ଗୁମର ଖୋଲି ଦେଇଛି। ବିଭାଗୀୟ ପାରିବା ପଣିଆ ଓ ଅସଲ ସତ୍ୟକୁ ପଦାରେ ପକାଇଛି । ଗେଟ୍‌ର ଜଗୁଆଳିଙ୍କ ଭୂମିକାକୁ ନେଇ ସାଧାରଣରେ ଅନେକ ସ୍ୱାଭାବିକ ପ୍ରଶ୍ନ ଉଠିଛି ।

ସେହିପରି ଏହି ରେଞ୍ଜ୍‌ ଅଫିସ୍‌ ଅଧିନରେ ୩୨.୨୯ ହେକ୍ଟର ଗ୍ରାମ୍ୟ ଜଙ୍ଗଲ ଜମି ଅଛି । ୨୦୦୦ରୁ ୨୦୧୬ ମସିହା ଦୀର୍ଘ ୧୨ ବର୍ଷ ମଧ୍ୟରେ ଏହି ଜମିରେ ବନୀକରଣ କରାଯାଇ ନାହିଁ । ଭଦ୍ରକ ଓାଇଲଡ୍‌ ଲାଇଫ୍‌ ଡିଭିଜନ୍‌ ଚାନ୍ଦବାଲି କାର୍ଯ୍ୟାଳୟରୁ ମିଳିଥିବା ଚିଠି ନଂ-୮୪୬/୦୫-୦୩-୧୬ ରୁ ଏହି ସୂଚନା ମିଳିଛି। ଅପରପକ୍ଷେ ଧାମରାଂଚଳରେ ଚୋରାକାଠ ବେପାରୀ ଖୁବ୍‌ ସକ୍ରିୟ ଅଛନ୍ତି । ଏମାନଙ୍କୁ ବିଭାଗୀୟ କେତେକ ଅସାଧୁ କର୍ମଚାରୀ ଭିତିରି ସାହାଯ୍ୟ କରୁଥିବା ଅଭିଯୋଗ ଉଠିଛି ।  କରଞ୍ଜମାଳ ଓ ଧାମରା ବନପାଳଙ୍କ କାର୍ଯାଳୟ ଅଧିନରେ ଏହି ଅଚଂଳ ଅଛି ।

ଏହି ଇଲାକାରେ ୧୫ଜଣ ଚୋରା କାଠ  ବେପାରୀ ରାଜସ୍ୱ ଫାଙ୍କି ବେପାର କରୁଛନ୍ତି । ଗତ ୪/୧୨/୧୬ ଓ ୧୭/୧୨/୧୬ରେ ୨ ଚୋରା କାଠ ବେପାରୀକୁ କରଞ୍ଜମାଳ ବନପାଳ ଧରି ଛାଡି ଦେଇଥିବା ଅଭିଯୋଗ ହୋଇଛି । କଇଥଖୋଲା ବଜାର ପୂର୍ବରୁ କରଞ୍ଜମାଳ ଫରେଷ୍ଟ୍‌ ଚେକ୍‌ ଗେଟ୍‌ ଅଛି। ଏହି ଗେଟ୍‌ ପାରି ହୋଇ ଚୋରାକାଠ ଗାଡି କେମିତି ଧାମରା, କଇଥଖୋଲା, ଦୋସିଙ୍ଗା, ବାଁଶଡା ଆଦି ଅଚଂଳକୁ ଆସୁଛି ତାହା ତଦନ୍ତ ସାପେକ୍ଷ । ଏହି ସଙ୍ଗୀନ ଅଭିଯୋଗକୁ ବନପାଳ ଅସ୍ୱୀକାର କରିଛନ୍ତି । ଯେକୌଣସି ଗାଡିକୁ ଅଟକ ରଖାଯାଇ ପାରିବ । କାଗଜ ପତ୍ର ଭେରିଫିକେସନ୍‌ ପରେ ଗାଡିକୁ ଜବତ ବା ଛାଡି ଦିଆଯିବାର ନିୟମ ଥିବା ଚାନ୍ଦବାଲି ରେଞ୍ଜ ଅଫିସ୍‌ର ଅରୁଣ ବେହେରା ପ୍ରତିକ୍ରିୟାରେ କହିଛନ୍ତି ।

image