18 October 2017
11:56:10 PM
Sambad News
ବରଗଡ଼

ଧନୁଯାତ୍ରା: ଷଡ଼ମଲ୍ଲ ବଧ ପରେ କଂସ ବିବ୍ରତ

By Sambad | Date: Jan 6 2017 1:53AM
ଧନୁଯାତ୍ରା: ଷଡ଼ମଲ୍ଲ ବଧ ପରେ କଂସ ବିବ୍ରତ

ମଥୁରାନଗରୀ : ‘ସାମାନ୍ୟ ଦୁଗ୍ଧପୋଷ୍ୟ ଶିଶୁ ହେବ ମୋର ମୃତ୍ୟୁର କାରଣ’। ବାରମ୍ବାର ସେଇ ଗୋଟିଏ କଥା ଗୁଞ୍ଜରିତ କରୁଛି ତ୍ରିପୁର ବିଜୟୀ ସମ୍ରାଟ କଂସାସୁରଙ୍କୁ। ମଥୁରାନଗରୀର ଚତୁର୍ଥ ଦିବସରେ ନାଟ୍ୟାଭିନୟ କ୍ରମରେ ମଥୁରା ନରେଶ ମହାରାଜ କଂସ କଅଁଳ ଶିଶୁ କୃଷ୍ଣଙ୍କୁ ମାରିବା ପାଇଁ ଗୋପପୁରକୁ ପଠାଇଥିବା ଷଡ଼ମଲ୍ଲଙ୍କ ମୃତ୍ୟୁ ଖବର ପାଇ ବିବ୍ରତ ହୋଇପଡ଼ିଛନ୍ତି। ପୁଣି କୃଷ୍ଣଙ୍କୁ ମାରିବା ପାଇଁ କରିଛନ୍ତି ଅନ୍ୟ ଏକ ଯୋଜନା।  
 
ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଂଚରେ ଅଭିନୀତ ହେଉଥିବା ୬୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବର ୪ର୍ଥ ଦିନରେ ମହାରାଜ ପ୍ରଥମରେ ବାହାରିଥିଲେ ପାତ୍ରମନ୍ତ୍ରୀଙ୍କୁ ଧରି ନଗର ପରିକ୍ରମାରେ। ମନ ଭିତରେ ଲୁଚି ରହିଥିବା ଭୀତିଭ୍ରାନ୍ତିକୁ ଦୂର କରି ସାହସ ସଂଚୟ କରିବା ସକାଶେ ମହାରାଜ ବାବା ମୁକ୍ତେଶ୍ୱରଙ୍କଠାରେ ରୁଦ୍ରାଭିଷେକ କରିଥିଲେ। ଏହାପରେ ସେ ପହଂଚି ରଙ୍ଗମହଲରେ ନୃତ୍ୟଗୀତରେ ମଜ୍ଜିଯାଇଥିଲେ। ତାପରେ ମହାମନ୍ତ୍ରୀ ସାତ୍ତ୍ୱକୀଙ୍କୁ ରଙ୍ଗମହଲର ଦାୟିତ୍ୱ ଦେଇ ପହଂଚିଥିଲେ ରାଜଦରବାରରେ। ହେଲେ ପହଂଚିବା ମାତ୍ରେ ଖବର ପାଇଥିଲେ ସେ ପ୍ରେରଣ କରିଥିବା ଷଡ଼ମଲ୍ଲ ତଥା ରାକ୍ଷସ ରାକ୍ଷସୀଙ୍କ ନିଧନ ହୋଇଛି। ବିଚଳିତ ହୋଇ ଉଠିଥିଲେ ମହାରାଜ କଂସ। ଏହାର ତିଳେମାତ୍ର ଆଭାସ ଯେପରି ମଥୁରାନଗରୀବାସୀ ପାଇବେ ନାହିଁ ସେନେଇ ମହାରାଜ ଚଳାଇଛନ୍ତି ଉଚ୍ଚସ୍ୱରରେ ଅଟ୍ଟହାସ୍ୟ। 
 
ଅନ୍ୟପଟେ, ରାଣୀ ପଦ୍ମାବତୀ ଧନ୍ଵନ୍ତରୀ ଓଷା କରିବେ। ଯେଉଁଥିପାଇଁ ଦରକାର କାଳିନ୍ଦୀ ହ୍ରଦର ୧ ଶତ ନୀଳ ପଦ୍ମ। ସେଥିପାଇଁ ନନ୍ଦରାଜାଙ୍କୁ ଚିଟାଉ ଲେଖିଲେ ମହାରାଜ କଂସ। ଯାହାର ଉଦ୍ଦେଶ୍ୟ ହେଲା  କାଳିନ୍ଦୀ ହ୍ରଦରେ କାଳୀୟ ନାଗ ରହିଛି। କୃଷ୍ଣ ପଦ୍ମ ତୋଳିବାକୁ ଗଲେ କାଳୀୟ ନାଗ ତାଙ୍କୁ ଦଂଶନ କରିବ। ଆଜି ମହାରାଜଙ୍କ ରଙ୍ଗମହଲ ଓ ରାଜଦରବାରରେ ଧବଳେଶ୍ୱର ଦଣ୍ଡ ନୃତ୍ୟ ଅନୁଗୁଳ, ସରଗମ୍‌ କଳାପରିଷଦ ବାମରା, ଯୋଡ଼ାବେଣୀ ଟିଟିଲାଗଡ଼, ସାଂସ୍କୃତିକ ପଦ୍ମପୁର, ବିନ୍ଧ୍ୟବାସିନୀ କଳାପରିଷଦ, ଦିଲୀପ ସୁନା ଓ ଦଳ ତୋରା, ଡ଼ାଇଖାଇ କଳାପରିଷଦ ବରଗଡ଼ ଆଦି ବିଭିନ୍ନ ସାଂସ୍କୃତିକ କାଯ୍ୟର୍କ୍ରମ ପରିବେଷିତ ହୋଇଥିଲା।
କୃଷ୍ଣମୟ ଗୋପପୁର       
 
ସେପଟେ ଗୋପଦାଣ୍ଡ କୃଷ୍ଣମୟ। କୃଷ୍ଣଙ୍କ ଗୋପଭ୍ରମଣ ବେଳେ କିଏ ମିଷ୍ଟାନ୍ନ ଖୁଆଇ ଦେଉଥିଲା ତ ପୁଣି କିଏ ପାଦ ଧୋଇ ମୁଣ୍ଡିଆ ମାରୁଥିଲା। ସମସ୍ତ ଗୋପପୁରବାସୀ ନିଜକୁ ସଜେଇ ଦେଇଥିଲେ ଜଣେ ଜଣେ ଗୋପୀ-ଗୋପାଳ ଭାବେ। ଅନ୍ୟପକ୍ଷରେ କଂସାସୁର ପୁତନା, ବକା, ଶକଟା, ତୃଣା, ଧେନୁ, ଷଣ୍ଢାସୁର ଆଦିଙ୍କୁ ଶିଶୁ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଗୋପପୁର ପଠାଇଥିଲା। ସେହି ଅସୁରମାନେ ଜଣ ଜଣ କରି ପ୍ରାଣ ହରାଇଲେ କୃଷ୍ଣଙ୍କ ହାତରେ। କ୍ଷୀର ପିଇ ପୁତନାର ପ୍ରାଣକୁ ଶୋଷି ନେଲେ କୃଷ୍ଣ। ନନ୍ଦ ଦରବାରରେ କରମସାନୀ କଳାପରିଷଦ ହୀରାକୁଦ,ବ୍ରଜେଶ୍ୱରୀ ନୃତ୍ୟ କଳା ସାଂସଦ କୁମ୍ଭାରୀ, ସୁରଝଙ୍କାର ତଥା ବିଭିନ୍ନ ସାଂସ୍କୃତିକ କାଯ୍ୟର୍କ୍ରମ ପରିବେଷିତ ହୋଇଥିଲା। 

image