18 October 2017
11:55:31 PM
Sambad News
ବରଗଡ଼

ଗୋପପୁର ମୁଖରିତ, ମଥୁରାରେ କଂସ ଅଟ୍ଟହାସ୍ୟ

By Sambad | Date: Jan 5 2017 2:10AM
ଗୋପପୁର ମୁଖରିତ, ମଥୁରାରେ କଂସ ଅଟ୍ଟହାସ୍ୟ

ମଥୁରାନଗରୀ/ଗୋପପୁର : ଉତ୍ସବ ମୁଖରିତ ହୋଇଛି ଗୋପପୁର (ଅମ୍ବାପାଲି)। ‘‘ଆହାରେ ନନ୍ଦ କୋଳେ ଗୋବିନ୍ଦ’’ ସ୍ୱର ଖେଳିଯାଇଛି ଗୋପପୁରରେ। ନନ୍ଦୋତ୍ସବ ସହ ନୃତ୍ୟଗୀତରେ ମତୁଆଲା ହୋଇପଡ଼ିଛନ୍ତି ଗୋପପୁରବାସୀ। କୃଷ୍ଣଙ୍କ ବାଲ୍ୟଲୀଳାକୁ ନେଇ ପୌରାଣିକ କଥାବସ୍ତୁର କିପରି ବାସ୍ତବତା ରହିଛି ତାହାର ଏକ ନିଚ୍ଛକ ପ୍ରତିଫଳନ ଦେଖିବାକୁ ମିଳିଛି । ଅନ୍ୟପଟେ ବାରମ୍ବାର ଗୁଞ୍ଜରିତ ହେଉଛି ସେହି ଦୈବବାଣୀ। ‘‘ତୋତେ ମାରିବ ଯିଏ ଗୋପରେ ବଢ଼ୁଛି ସିଏ’’। କ୍ରୋଧ ଓ ଭୟରେ ଜର୍ଜରିତ ହୋଇପଡ଼ିଛନ୍ତି ତ୍ରିପୁର ବିଜୟୀ ମହାରାଜ କଂସ। ପାତ୍ରମନ୍ତ୍ରୀଙ୍କ ସହ ମନ୍ତ୍ରଣା କରିଛନ୍ତି। କିଏ ସେ ବାଳକ ଯିଏ ହେବ ତାଙ୍କ ମୃତ୍ୟୁର କାରଣ; ଏହି ଚିନ୍ତାରେ ଉଚ୍ଚ ସ୍ୱରରେ ଚଳାଇଛନ୍ତି ଅଟ୍ଟହାସ୍ୟ। ମନ ଭିତରେ ସେହି ମୃତ୍ୟୁର ଭୟ। 
 
ବୁଧବାର ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଗୋପପୁର ନନ୍ଦ ଦରବାରକୁ ମୁଖ୍ୟଅତିଥି ଭାବେ ଏସ୍‌.ପି ବି.ଯୁଗଲ କିଶୋର ଉଦ୍‌ଘାଟନ କରିଥିଲେ। ଅନ୍ୟପଟେ, ନଗରଭ୍ରମଣ ପରେ ମହାରାଜ କଂସ ରଙ୍ଗମହଲରେ ପ୍ରବେଶ କରିଥିଲେ। ସେଠାରେ ରାଜଅତିଥିଭାବେ ବୟନିକାର ଏମ୍‌ଡି ବିଷ୍ଣୁପ୍ରସାଦ ମିଶ୍ର ଯୋଗଦେଇଥିଲେ। ରଙ୍ଗମହଲ ଓ ରାଜଦରବାରରେ ପ୍ରଖ୍ୟାତ୍‌ ନୃତ୍ୟ ନିର୍ଦ୍ଦେଶକ ଗୋପଳକୃଷ୍ଣ ଦାଶଙ୍କ ନିର୍ଦେଶନାରେ ପ୍ରଖ୍ୟାତ ଋଷ ନୃତ୍ୟାଙ୍ଗନା ଭିତାଲିନା ନୋବାଚ୍‌ ଓ ମାର୍‌ତା  ଏଗୋରେବାଙ୍କ ସହ ନୃତ୍ୟଗୁରୁ ନେହେରୁ ସରାଫ୍‌, ଆଦିତ୍ୟ ମେହେର ନୃତ୍ୟ ପରିବେଷଣ କରିଥିଲେ ‘ଲବଙ୍ଗଲତା ମୋ’ ଗଜମୁକୁତା’ ଓ ‘ଡାଲଖାଇ’ ନୃତ୍ୟ। ଏଥିସହ ସ୍ଥାନୀୟ ଛାତ୍ରୀମାନଙ୍କ ସହ ମଧ୍ୟ ପରିବେଷଣ କରିଥିଲେ ଋଷ ଡ୍ୟାନ୍ସ। ଯାହାକି ଭାରତୀୟ ସଂସ୍କୃତି ସହ ଋଷ ସଂସ୍କୃତିରେ ରହିଥିବା ଭାବଧାରା ମଧ୍ୟ ଯୋଡ଼ି ହୋଇଯାଇଥିଲା। 
 
ତୃତୀୟ ଦିବସରେ ନାଟ୍ୟାଭିନୟରେ କୃଷ୍ଣପ୍ରେମରେ ମଜ୍ଜି ଯାଇଛନ୍ତି ଗୋପପୁରବାସୀ। ଭଗବାନ ବିଷ୍ଣୁ ମାନବରୂପୀ ଯଶୋଦାଙ୍କ ଅଳିଅଳ କୃଷ୍ଣ ସାଜିଛନ୍ତି। ଝୁଲଣାରେ ଝୁଲି ଝୁଲି ପରସି ଯାଉଛନ୍ତି ପ୍ରେମର ମଧୁଭରା ରସ। ଗୋପୀ-ଗୋପାଳ ମଜ୍ଜି ଯାଇଛନ୍ତି କୃଷ୍ଣପ୍ରେମରେ। ରାସନୃତ୍ୟ, ନଗର ସଂକୀର୍ତ୍ତନରେ ଗୋପପୁରବାସୀ ମୁତୁଆଲା ହୋଇପଡ଼ିଛନ୍ତି। ପ୍ରତିଘର ସମ୍ମୁଖରେ ପୂର୍ଣ୍ଣକଳସ, ଫୁଲ ଚନ୍ଦନ। ଚାହିିଁରହିଛି କୃଷ୍ଣଙ୍କ କୋମଳ ପାଦର ସ୍ପର୍ଶକୁ। ଘରକାନ୍ଥ, ବାଡ଼ ସବୁଆଡ଼େ କୃଷ୍ଣାମୃତବାଣୀ। ଅବୋଧ ଶିଶୁଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ କୃଷ୍ଣ ପ୍ରେମରେ ବିଭୋର। ଘଣ୍ଟଶଙ୍ଖ, ହୁଳହୁଳି, ସଂକୀର୍ତ୍ତନରେ କୃଷ୍ଣଙ୍କୁ କୋଳରେ ଧରି ନନ୍ଦ-ଯଶୋଦା ଗୋପପୁର ଭ୍ରମଣ କରିବା ପରେ ଦୋଳିରେ ଝୁଲାଇଛନ୍ତି ସମସ୍ତେ। 
 
ବୁଧବାର ଗୋପପୁର ନନ୍ଦ ଦରବାର ଏସ୍‌ପିଙ୍କ ଦ୍ୱାରା ଉଦଘାଟିତ ହେବା ସହ ଆରମ୍ଭ ହୋଇଥିଲା ଶୋଭାଯାତ୍ରା। ପୈାର ନିର୍ବାହୀ ଅଧିକାରୀ ସୁଶାନ୍ତ ରାଉତ, ଧନୁଯାତ୍ରା ମହୋତ୍ସବ ସମିତିର ସଂପାଦକ ସୁରେଶ୍ୱର ଶତପଥୀ, କାଉନସିଲର ନାରାୟଣ ଭୋଇ, କୃଷ୍ଣ ମହାପାତ୍ର, ସୁଶୀଳ ମହାପାତ୍ର, ପଦ୍ମଲୋଚନ ମଲ୍ଲିକ, ରବିନ୍ଦ୍ର ରଂଜନ ପୂଝାରୀ ପ୍ରମୁଖ ମଂଚାସୀନ ଥିଲେ। ଏହି ଅବସରରେ ନନ୍ଦରାଜା ନନ୍ଦୋତ୍ସୋବ କରିବା ପାଇଁ ସମସ୍ତଙ୍କୁ ନିମନ୍ତ୍ରଣ କରିଥିଲେ। ନନ୍ଦୋତ୍ସୋବରେ ବାଡ଼ିଖେଳ ଆୟୋଜିତ ହୋଇଥିଲା। ଏପଟେ ମଥୁରାନଗରୀରେ ମହାରାଜ କଂସଙ୍କ ଶ୍ୟାମେଶ୍ୱର ମହାଦେବ ଦର୍ଶନ ଓ ଆରାଧନା ହୋଇଥିଲା। ଦେବକୀଙ୍କ ଅଷ୍ଟମ ସନ୍ତାନ ଜନ୍ମର ସୂଚନା ପାଇ ମହାପ୍ରତାପୀ କଂସ ପ୍ରବେଶ କରିଛନ୍ତି ମଥୁରା କାରାଗାରରେ। ଦର୍ପଣ ଶିଳାରେ ଶିଶୁକୁ ପ୍ରହାର, ବିଜୁଳି କନ୍ୟାଙ୍କ ଦୈବବାଣୀ ଦୃଶ୍ୟ ଅଭିନୀତ ହୋଇଛି। ବୁଧବାର ମଧ୍ୟ ମହାରାଜ କଂସ ନଗର ଭ୍ରମଣ କରିଥିଲେ।

image