23 October 2017
4:32:45 AM
Sambad News
ରାଜ୍ୟ

ଆଜି ଶୁଲିଆ

By Sambad | Date: Jan 3 2017 6:14AM
ଆଜି ଶୁଲିଆ

ବଲାଙ୍ଗୀର : ପୌଷମାସ ଶୁକ୍ଲପକ୍ଷ ପ୍ରଥମ ମଙ୍ଗଳବାର। ଆଦିବାସୀ ପରମ୍ପରା ଅନୁସାରେ ଏହି ଦିନ ପାଳିତ ହୁଏ ଶୁଲିଆ ଯାତ୍ରା। ଦେଓଗାଁ ବ୍ଲକ ଖଇରଗୁଡ଼ାରେ ଥିବା ମୁଖ୍ୟ ଶୁଲିଆ ପୀଠ ବା ବଡ଼ଖଳା ସମେତ କୁମୁରିଆ ସାନଖଳାରେ ଶୁଲିଆ ଯାତ୍ରା ଅନୁଷ୍ଠିତ ହେବ। ପ୍ରତିବର୍ଷ ଭଳି ଏଥର ମଧ୍ୟ ଶୁଲିଆ ବୁଢ଼ା ନିକଟରେ ପଶୁପକ୍ଷୀଙ୍କୁ ବଳି ଚଢ଼ାଯିବ। ଆଦିବାସୀ ନୀତି ଅନୁସାରେ ଶୁଲିଆ ବୁଢ଼ାର ପୂଜାର୍ଚ୍ଚନା କରାଯିବା ସହ ଛେଳି, ମେଣ୍ଢା, ପୋଢ, କୁକୁଡା ଓ ପାରା ଆଦି ପଶୁପକ୍ଷୀଙ୍କୁ ପୀଠରେ ବଳି ଚଢାଯିବ। ରକ୍ତରେ ଭିଜିବ ଆଦିବାସୀଙ୍କ ପ୍ରଥା ଓ ପରମ୍ପରା। 
 
ସୋମବାର ରାତିରେ ପୀଠରେ ନିଶି ପୂଜା ହୋଇଥିବା ବେଳେ ମଙ୍ଗଳବାର ଶୁଲିଆ ବୁଢାଙ୍କ ପୂଜାପଦ୍ଧତି, ବଳିପୂଜା ଆଦି କରାଯିବ। ବଡଖଳା ଓ ସାନଖଳାରେ ସମସ୍ତ ଦେହେରି, ପୁଝାରୀ, ଝାଙ୍କର, ଅନ୍ୟମାନେ ଆବାହନକାଳରୁ ଚାଲିଆସୁଥିବା ପ୍ରଥା ପରମ୍ପରା ଅନୁସାରେ ପୂଜାପାଠ କରିବେ। ଶୁଲିଆ ଯାତ୍ରାରେ ବାଧା ସୃଷ୍ଟି କଲାଭଳି ପୋଲିସ ପ୍ରଶାସନର କଟକଣା ନଥିବାରୁ ଏଥର ବହୁ ସଂଖ୍ୟାରେ ବଳି ଦିଆଯିବ ବୋଲି କହୁଛନ୍ତି ଆଦିବାସୀ ନେତାଏ। ତେବେ ଗତ କିଛି ବର୍ଷ ହେଲା ବଳି ବିରୋଧ ଯୋଗୁଁ ଆଇନ ଲଢେଇ ଚାଲିଥିଲା ଓ ବଳିକୁ ବନ୍ଦ କରାଯାଇଥିଲା ତାକୁ ନେଇ ଆଦିବାସୀ ନେତାଙ୍କ ମଧ୍ୟରେ ଅସନ୍ତୋଷ ଏବେ ବି ରହିଛି। 
 
ବଳି ବନ୍ଦ ପାଇଁ ଭରପୂର ପ୍ରୟାସ କରାଯାଇଥିଲା। ପୀଠରେ ୧୪୪ ଧାରା ଲଗାଯିବା ସହ ଶୁଲିଆ ପୂଜା ପୂର୍ବରୁ ପୂଜା ଆୟୋଜନକାରୀଙ୍କ ବିରୋଧରେ ୧୦୭ ଦଫାରେ ମାମଲା ରୁଜୁ କରି ହଇରାଣ କରାଯାଉଥିବା କହୁଛି ଆଦିବାସୀ ସଂଘ। ତେବେ ମାନ୍ୟବର ସୁପ୍ରିମକୋର୍ଟ ଆଦିବାସୀଙ୍କ ପ୍ରଥା ଓ ପରମ୍ପରାକୁ ସ୍ୱୀକୃତି ଦେଇଥିବାରୁ ପ୍ରଥା ଓ ପରମ୍ପରା ପ୍ରେମୀ ଆଦିବାସୀଙ୍କ ମଧ୍ୟରେ ଖୁସି ଦ୍ୱିଗୁଣିତ। ଶୁଲିଆ ଯାତ୍ରାକୁ ସୁରୁୁଖୁରୁ ଓ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ତେବେ ଶୁଲିଆ ପୀଠରେ ପଶୁ ବଳି ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରକାର କଟକଣା ବା ପ୍ରତିବନ୍ଧକ ଲାଗୁ କରାଯାଇନାହିଁ । ଏପରିକି ପୀଠରେ ପଶୁ ବଳି ସଂଖ୍ୟା କମ୍‌ କରିବା ପାଇଁ ମଧ୍ୟ କୌଣସି ପ୍ରକାର ସଚେତନତା ସୃଷ୍ଟି କରାଯାଇ ନଥିବାରୁ ଯାତ୍ରାରେ ହଜାର ହଜାର ପଶୁପକ୍ଷୀଙ୍କ ରକ୍ତରେ ଶୁଳିଆ ପୀଠ ରକ୍ତ ରଞ୍ଜିତ ହେବ ବୋଲି ପୂର୍ବାନୁମାନ କରାଯାଉଛି।

image