21 November 2017
12:38:32 AM
Sambad News
ଅନୁଗୁଳ

ଅନୁଗୁଳ: ଗୁଳିମାଡ଼ରେ ଦୁଇ ମହିଳା ଗୁରୁତର

କୂଅରୁ ପାଣି କାଢ଼ିବା ଓ ଖଳାରେ କାମ କରୁଥିବା ବେଳେ ବାଜିଲା ଗୁଳି

By Sambad | Date: Dec 23 2016 6:50PM
ଅନୁଗୁଳ: ଗୁଳିମାଡ଼ରେ ଦୁଇ ମହିଳା ଗୁରୁତର

ଅନୁଗୁଳ:  କିଛି କାରଣ ନଥାଇ ୨ ଜଣ ମହିଳା ଗୁଳିମାଡ଼ର ଶିକାର ହୋଇଛନ୍ତି। ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ମରଟିଆ ଗାଁର ବିନତୀ ସାହୁ ଓ ସୁଭଦ୍ରା ସାହୁ ବିନା କାରଣରେ ଗୁଳିମାଡ଼ର ଶିକାର ହୋଇଥିବା ଜଣାପଡ଼ିଛି। 
 
ନିରାକାର ସାହୁ ନାମକ ଜଣେ ସିକ୍ୟୁରିଟି ଗାର୍ଡଙ୍କର ତାଙ୍କ ପତ୍ନୀ ମନ୍ଦୋଦରୀଙ୍କ ସହ ଗତକାଲି ଝଗଡ଼ା ହୋଇଥିଲା। ଏହାପରେ ଶୁକ୍ରବାରରେ ମନ୍ଦୋଦରୀଙ୍କ ଭାଇ ତାଙ୍କୁ ନେବା ପାଇଁ ଆସିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ନିରାକାର ନିଜର ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ମନ୍ଦୋଦରୀଙ୍କ ଭାଇଙ୍କୁ ଗୁଳି କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ବନ୍ଧୁକ ଛଡାଇବା ପାଇଁ ମନ୍ଦୋଦରୀଙ୍କ ଭାଇ ଉଦ୍ୟମ କରିଥିଲେ। ଦୁଇ ଜଣଙ୍କ ଭିତରେ ଧସ୍ତାଧସ୍ତି ଲାଗିବା ବେଳେ ଗୁଳି ଫୁଟିବାରୁ କୂଅକୁ ପାଣି ଆଣିବାକୁ ଆସିଥିବା ବିନତୀ ଓ ଖଳାରେ କାମ କରୁଥିବା ସୁଭଦ୍ରାଙ୍କର ଗୋଡ଼ରେ ଗୁଳି ବାଜିଥିଲା। ଏହାପରେ ନିରାକାର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁଳିମାଡ଼ର ଶିକାର ହୋଇଥିବା ୨ ଜଣଙ୍କୁ ଚିକିତ୍ସାପାଇଁ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

image