21 November 2017
9:14:48 PM
Sambad News
ରାଜ୍ୟ

ଝିଅର ଶବ କାନ୍ଧରେ ବୋହିବା ଘଟଣା : ଡାକ୍ତରଖାନା ଜୁନିୟର ମ୍ୟାନେଜର ସସ୍‌ପେଣ୍ଡ

ଉପଖଣ୍ଡ ଚିକିତ୍ସାଧିକାରୀଙ୍କୁ କୈଫୟତ ତଲବ୍‌

By Sambad | Date: Jan 5 2017 1:35AM
ଝିଅର ଶବ କାନ୍ଧରେ ବୋହିବା ଘଟଣା : ଡାକ୍ତରଖାନା ଜୁନିୟର ମ୍ୟାନେଜର ସସ୍‌ପେଣ୍ଡ

ଅନୁଗୁଳ/ପାଳଲହଡ଼ା : ପାଳଲହଡ଼ା ବ୍ଲକ୍‌ ପେଚାମୁଣ୍ଡି ଗାଁର ରଥୀ ଧୀବର ନିଜ ଝିଅର ଶବ କାନ୍ଧେଇ ଡାକ୍ତରଖାନାରୁ ଦୀର୍ଘ ୧୫ କିଲୋମିଟର ଦୂର ଗାଁକୁ ନେବା ଘଟଣାର ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି। ଉପଜିଲ୍ଲାପାଳଙ୍କ ପ୍ରାଥମିକ ରିପୋର୍ଟ ଆଧାରରେ ଜିଲ୍ଲାପାଳ ଅନିଲ କୁମାର ସାମଲ ପାଳଲହଡ଼ା ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ପି. ସି. ମହାନ୍ତିଙ୍କୁ କୈଫିୟତ ତଲବ କରିଛନ୍ତି। ଉପଖଣ୍ଡ ଡାକ୍ତରଖାନାର କନିଷ୍ଠ ପରିଚାଳିକା ରୀତାଂଜଳି ସ୍ୱାଇଁଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।  ସୁରକ୍ଷା କର୍ମୀ ନିରାକାର ନାଏକଙ୍କୁ ବହିଷ୍କାର କରାଯାଇଛି। ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ରଥୀଙ୍କୁ ‘ହରିଶ୍ଚନ୍ଦ୍ର’ ଯୋଜନାରେ ୨ ହଜାର ଟଙ୍କା ଏବଂ ଜିଲ୍ଲା ରେଡ଼କ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। 
 
ରଥୀ ଧୀବର ନିଜର ଜ୍ୱର ପୀଡ଼ିତା ଝିଅ ସୀମା (୬)କୁ ଚିକିତ୍ସା ପାଇଁ ଗତକାଲି ପାଳଲହଡ଼ା ଡାକ୍ତରଖାନାରେ ଭର୍ତି କରିଥିଲେ। ଆମ୍ବୁଲାନ୍‌ସ ସେବା ନମିଳିବାରୁ ଅଟୋ ଭଡ଼ା କରି ଝିଅକୁ ଗାଁ’ରୁ ଡାକ୍ତରଖାନା ଆଣିଥିଲେ। ମସ୍ତିଷ୍କ ମ୍ୟାଲେରିଆ ପୀଡ଼ିତ ଥିବା ସୀମା ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲା। ଗାଡ଼ି ଭଡ଼ା କରି ଝିଅର ଶବ ଗାଁ’କୁ ନେବାକୁ ରଥୀଙ୍କ ସାମର୍ଥ୍ୟ ନଥିବାରୁ ଗାଡ଼ିଟିଏ ଯୋଗାଡ଼ କରଦେବାକୁ ଡାକ୍ତରଖାନା କର୍ମଚାରୀଙ୍କୁ ସେ ନେହୁରା ହୋଇଥିଲେ। ହେଲେ କେହି କର୍ଣ୍ଣପାତ କରିନଥିଲେ। ତେଣୁ ଝିଅର ଶବକୁ କାନ୍ଧେଇ ୧୫ କିଲୋମିଟର ଦୂର ନିଜ ଗାଁ’ ପେଚାମୁଣ୍ଡିକୁ ଯାଇଥିଲେ। ଏହି ଘଟଣା ଆଜି ‘ସମ୍ବାଦ’ରେ ପ୍ରକାଶିତ ହେବା ପରେ ପ୍ରଶାସନିକ ସ୍ତରରେ ତନାଘନା ଆରମ୍ଭ ହୋଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପାଳଲହଡ଼ା ଉପଜିଲ୍ଲାପାଳ ତପନ କୁମାର ଶତପଥୀ ଆଜି ଘଟଣାର ତଦନ୍ତ କରିଥିଲେ।
 
ଉପଜିଲ୍ଲାପାଳ ଶ୍ରୀ ଶତପଥୀ ଆଜି ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା. ମହାନ୍ତି, ଚିକିତ୍ସା କରିଥିବା ଡାକ୍ତର ପ୍ରଶାନ୍ତ ମହାପାତ୍ର, ଡ୍ୟୁଟିରେ ଥିବା ଷ୍ଟାଫ୍‌ନର୍ସ୍‌ ଓ ସିକ୍ୟୁରିଟି ଗାର୍ଡ୍‌ଙ୍କ ବୟାନ ରେକର୍ଡ କରିଥିଲେ। ସୀମାର ମୃତ୍ୟୁ ପରେ ଡାକ୍ତରଖାନା ପକ୍ଷରୁ ଡିସ୍‌ଚାର୍ଜ ସାର୍ଟିଫିକେଟ୍‌ ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ଡାକ୍ତରଖାନାରୁ ରଥୀ କେତେବେଳେ ଝିଅର ମୃତଦେହ ନେଲେ ସେମାନେ ଦେଖିନଥିବା କଥା ଉପଜିଲ୍ଲାପାଳ ଆଗରେ ପ୍ରକାଶ କରିଥିଲେ। ସୀମା ମୃତ୍ୟୁ ପରେ ତାଙ୍କୁ ସୂଚନା ଦିଆଯାଇନଥିଲା, ଡିସ୍‌ଚାର୍ଜ୍‌ ସାର୍ଟିଫିକେଟ୍‌ ପ୍ରସ୍ତୁତ କରିବାବେଳକୁ ରଥୀ ଶବ ନେଇ ଚାଲିଯାଇଥିଲେ ବୋଲି ଉପଖଣ୍ଡ ଚିକିତ୍ସା ଅଧିକାରୀ ପ୍ରକାଶ କରିଥିଲେ। ଶବ ବୋହିବା ପାଇଁ ସରକାରଙ୍କ ପକ୍ଷରୁ ‘ମହାପ୍ରୟାଣ’ ଗାଡ଼ି ବ୍ୟବସ୍ଥା ଥିବାବେଳେ ପାଳଲହଡ଼ା ଉପଖଣ୍ଡ ଡାକ୍ତରଖାନାରେ କାହିଁକି ଏହି ଗାଡ଼ି ବ୍ୟବସ୍ଥା କରାଯାଇ ନାହିଁ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

image