19 November 2017
4:46:10 AM
Sambad News
ରାଜ୍ୟ

ନଗଡ଼ାର ଦୁଇ ଶିଶୁ ସଂକଟାପନ୍ନ : ଶିଶୁଭବନକୁ ସ୍ଥାନାନ୍ତର

By Sambad | Date: Sep 10 2017 11:50PM
ନଗଡ଼ାର ଦୁଇ ଶିଶୁ ସଂକଟାପନ୍ନ : ଶିଶୁଭବନକୁ ସ୍ଥାନାନ୍ତର

କାଳିଆପାଣି : ବହୁଚର୍ଚିତ ନଗଡ଼ାର ଦୁଇଜଣ ଶିଶୁଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡ଼ିଛି। ସେମାନଙ୍କୁ ଆଜି ପ୍ରଥମେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ଏବେ ସେହି ଦୁଇ ଶୁଶୁ ଚିକିତ୍ସାଧୀନ ଥିବା ଜଣାଯାଇଛି।
 
ମିଳିଥିବା ସୂଚନା ଅନୁଯାୟୀ, ମଝିନଗଡ଼ାର ଫୁଲ ଓ ବୁଧିଆ ପ୍ରଧାନଙ୍କ ସପ୍ତମ ସନ୍ତାନ ନବଜାତକ ସସ୍ମିତା (୧୦ ଦିନ) ଏବଂ ସୁନିଆରି ଓ ବାଲୁ ପ୍ରଧାନଙ୍କ ଝିଅ ଜାନକୀ(୫ବର୍ଷ) ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଆଜି ସକାଳୁ ସଂକଟାପନ୍ନ ଅବସ୍ଥାରେ ୧୦୮ ଆମ୍ବୁଲାନ୍‌ସରେ ଦୁଇଜଣଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରୁ ଦୁଇଜଣଙ୍କୁ  ଯାଜପୁରରୋଡ଼ ଏନ୍‌ଆର୍‌ସି ଅଣାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଫଣୀନ୍ଦ୍ର କୁମାର ପାଣିଗ୍ରାହୀଙ୍କ ପରାମର୍ଶରେ ଉଭୟ ଶିଶୁଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଶିଶୁ ଭବନରେ ପହଞ୍ଚିବା ପରେ ଅସୁସ୍ଥ ଶିଶୁ ସସ୍ମିତା ଓ ଜାନକୀଙ୍କୁ ଶଯ୍ୟା ଯୋଗାଇ ଦିଆଯାଇ ଚିକିତ୍ସା ଆରମ୍ଭ କରାଯାଇଥିବା ଅଭିଭାବକ ସୂଚନା ଦେଇଛନ୍ତି।
ଗତ ୧ ତାରିଖ ଶୁକ୍ରବାର ଦିନ ଜନ୍ମ ନେଇଥିବା ସସ୍ମିତା ତିନିଦିନ ହେଲା ମା’ କ୍ଷୀର ଖାଇବା ଛାଡ଼ି ଦେଇଥିଲା। ପ୍ରଥମଦିନରୁ ପ୍ରସୂତି ଫୁଲ ନବଯାତ ଶିଶୁକୁ କଷକ୍ଷୀର ଖୁଆଇ ନ ଥିବା ଏବଂ ତାଙ୍କର କ୍ଷୀର ହେଉ ନ ଥିବା ଜଣାପଡ଼ିଛି। ଗତ ବୁଧବାର ପ୍ରସୂତି ଓ ନବଜାତକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତର ଶୁଭଲକ୍ଷ୍ମୀ ନାଥ ମଝିନଗଡ଼ା ଆସିଥିଲେ। ମାତ୍ର ମା’ ଫୁଲ କବାଟ ଖୋଲି ନ ଥିଲେ କି’ ଚିକିତ୍ସକ ଦଳକୁ ଭେଟି ନ ଥିଲେ। ବରଂ, ସେ ଖରାପ ବ୍ୟବହାର କରିଥିଲେ ବୋଲି ଡାକ୍ତରୀ ଦଳ ଅଭିଯୋଗ କରିଛନ୍ତି। ସେହିପରି ଗତକାଲିଠାରୁ ଶିଶୁକନ୍ୟା ଜାନକୀର ଭୀଷଣ ପେଟ ବ୍ୟଥା ହୋଇଥିଲା। ସେ ଖିଆପିଆ ଛାଡ଼ି ଦେଇଥିଲେ। ଆଜି ଝିଅଟିର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା।

image