20 November 2017
11:18:05 AM
Sambad News
ଖେଳ

ଭାରତର କ୍ରମାଗତ ବିଜୟ: ଆଜି ନେପାଳକୁ ଭେଟିବ

୧୮ ବର୍ଷରୁ କମ୍‌ ସାଫ୍‌ ପ୍ରତିଯୋଗିତା

By Sambad | Date: Sep 27 2017 1:31AM
ଭାରତର କ୍ରମାଗତ ବିଜୟ: ଆଜି ନେପାଳକୁ ଭେଟିବ

ନୂଆଦିଲ୍ଲୀ:  ଭାରତୀୟ ୧୮ ବର୍ଷରୁ କମ୍‌ ଦଳ ଭୁଟାନ୍‌ରେ ଚାଲିଥିବା ସାଫ୍‌ ପ୍ରତିଯୋଗିତାରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ନିଜ ଗ୍ରୁପ୍‌ରେ ପ୍ରଥମ ମ୍ୟାଚ୍‌କୁ ୩-୪ ଗୋଲ୍‌ରେ ବାଂଲାଦେଶ ନିକଟରୁ ହାରିଯିବା ପରେ ଭାରତୀୟ ଦଳ ଆଉ ପଛକୁ ଫେରି ଚାହିଁନାହିଁ। ଫଳରେ ଦ୍ୱିତୀୟ ମ୍ୟାଚ୍‌ରେ ଆୟୋଜକ ଭୁଟାନ୍‌କୁ ୩-୦ ଗୋଲ୍‌ରେ ପରାସ୍ତ କରିଥିବା ଭାରତ ସୋମବାର ତୃତୀୟ ମ୍ୟାଚ୍‌ରେ ମାଳଦୀପକୁ ୨-୧ରେ ପରାସ୍ତ କରିଦେଇଛି। ଥିମ୍ପୁର ଚାଙ୍ଗ୍‌ଲିମିଥାଙ୍ଗ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ମାଳଦୀପ ୧୮ ମିନିଟ୍‌ରେ ପ୍ରଥମ ଗୋଲ୍‌ ଦେଇ ଆଗେଇ ଯାଇଥିଲା। ହେଲେ ରିବେଲୋ ପ୍ରିନ୍‌ସଟନ୍‌ ୩୮ ମିନିଟ୍‌ରେ ଗୋଲ୍‌ କରି ଭାରତ ସ୍ଥିତି ସମାନ କରିଦେଇଥିଲେ। ଏହାପରେ ୪୨ ମିନିଟ୍‌ରେ ଅଭିଷେକ ହାଲ୍‌ଦାରଙ୍କ ଗୋଲ୍‌ ଭାରତକୁ ୨-୧ର ଅଗ୍ରଣୀ ଦେଇଥିଲା। ମଧ୍ୟାନ୍ତର ୨-୧ ଗୋଲ୍‌ରେ ଭାରତ ସପକ୍ଷରେ ଶେଷ ହୋଇଥିଲା। ଦ୍ୱିତୀୟାର୍ଧରେ ଆଉ କୌଣସି ଗୋଲ୍‌ ନହେବାରୁ ଭାରତ ୨-୧ରେ ବିଜୟୀ ହୋଇଥିଲା। ଫଳରେ କ୍ରମାଗତ ଦ୍ୱିତୀୟ ବିଜୟ ସହ ଭାରତ ପଏଣ୍ଟ୍‌ ତାଲିକାର ଦ୍ୱିତୀୟ ସ୍ଥାନକୁ ଲମ୍ଫ ଦେଇ ପ୍ରତିଯୋଗିତାରେ ଆଶା ଉଜ୍ଜୀବୀତ ରଖିଛି। ବାଂଲାଦେଶ ଶୀର୍ଷରେ ରହିଛି। ଭାରତ ଗ୍ରୁପ୍‌ ପର୍ଯ୍ୟାୟରେ ତା’ର ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍‌ ଆସନ୍ତାକାଲି ଖେଳିବ। ଏହି ମ୍ୟାଚ୍‌ରେ ଭାରତର ମୁକାବିଲା ନେପାଳ ସହ ହେବ।

 

image