18 October 2017
11:48:13 PM
Sambad News
ରାଜନୀତି

ସମାଧାନ ବାଟ ବନ୍ଦ: ମୁଲାୟମଙ୍କ ସବୁ ପ୍ରସ୍ତାବକୁ ଅଖିଳେଶଙ୍କ ପ୍ରତ୍ୟାଖ୍ୟାନ

ନିର୍ବାଚନ କମିସନଙ୍କ ଶୁଣାଣି ୧୩ରେ

By Sambad | Date: Jan 11 2017 12:06AM
ସମାଧାନ ବାଟ ବନ୍ଦ: ମୁଲାୟମଙ୍କ ସବୁ ପ୍ରସ୍ତାବକୁ ଅଖିଳେଶଙ୍କ ପ୍ରତ୍ୟାଖ୍ୟାନ

ଲକ୍ଷ୍ନୌ:  ସମାଜବାଦୀ ପାର୍ଟିରେ କ୍ଷମତା ଅକ୍ତିଆର ପାଇଁ ଚାଲିଥିବା ଲଢ଼େଇ ଆଜି ଭିନ୍ନ ମୋଡ଼ ନେଇଛି। ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଆଜି ତାଙ୍କ ଆଭିମୁଖ୍ୟକୁ କଠୋର କରି ପିତା ମୁଲାୟମ ସିଂହ ଯାଦବ ଏବଂ କାକା ଶିବପାଲ ଯାଦବଙ୍କ ସହ କୌଣସି ସାଲିସ କରିବେ ନାହିଁ  ବୋଲି ଏକ ପ୍ରକାର ସ୍ପଷ୍ଟ କରିଦେଇଛନ୍ତି। ମୁଲାୟମ ଆଜି ଅଖିଳେଶଙ୍କ ସହ ଦଳୀୟ ବିବାଦର ସମାଧାନ ପାଇଁ ୨ ଘଣ୍ଟା ଧରି ଆଲୋଚନା କରିଥିଲେ। ଆଲୋଚନା ବେଳେ ମୁଲାୟମ ଦେଇଥିବା ସମସ୍ତ ପ୍ରସ୍ତାବକୁ ଅଖିଳେଶ ପ୍ରତ୍ୟାଖ୍ୟାନ କରିଥିବା ଜଣାପଡ଼ିଛି। ଦଳର ମହାସଚିବ ରାମଗୋପାଳ ଯାଦବଙ୍କ ଦ୍ୱାରା ନିଆଯାଇଥିବା କୌଣସି ନିଷ୍ପତ୍ତି ବଦଳିବ ନାହିଁ ବୋଲି ଅଖିଳେଶ ପିତାଙ୍କୁ ରୋକ୍‌ଠୋକ ଶୁଣାଇ ଦେଇଛନ୍ତି। ଏହା ବ୍ୟତୀତ ସେ ଉଭୟ ମୁଖ୍ୟମନ୍ତ୍ରୀ ପଦ ଏବଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ନିଜ ପାଖରେ ରଖିବେ ବୋଲି ସ୍ପଷ୍ଟ କରିଛନ୍ତି।
 
ମୁଲାୟମ ନିରାଶରେ ପୁଅ ପାଖରୁ ଫେରିଥିବା ବେଳେ କୌଣସି ସମାଧାନ ବାହାରି ପାରିନଥିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ନୈରାଶ୍ୟ ଖେଳିଯାଇଛି। ଉଭୟ ପକ୍ଷ ଭିନ୍ନ ଭିନ୍ନ ପ୍ରାର୍ଥୀ ତାଲିକା ଜାରି କରିଥିବାରୁ ପ୍ରାର୍ଥୀମାନେ ଏବେ କେଉଁ ସଙ୍କେତରେ ନିର୍ବାଚନ ଲଢ଼ିବେ ତାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଦଳର ନିର୍ବାଚନୀ ସଂକେତ ସାଇକେଲ ଏଭଳି ସ୍ଥିତି ଅଚଳ ହୋଇଯିବା ଆଶଙ୍କା କରି ପ୍ରାର୍ଥୀମାନେ ଚିନ୍ତାରେ ପଡ଼ିଛନ୍ତି। ନିର୍ବାଚନ କମିସନ ସମାଜବାଦୀ ପାର୍ଟିର ଦଳୀୟ ସଙ୍କେତ ବାବଦରେ ଆଗାମୀ ୧୩ ତାରିଖ ଦିନ ଶୁଣାଣି କରିବେ ବୋଲି ଆଜି ସୂଚନା ଦେଇଛନ୍ତି । ସମସ୍ତ ପ୍ରାର୍ଥୀ ନିଜ ନିଜ ନିର୍ବାଚନ କ୍ଷେତ୍ରକୁ ଯାଇ ପ୍ରଚାରରେ ଲାଗିପଡ଼ିବାକୁ ମୁଖ୍ୟମନ୍ତ୍ରୀ ଅଖିଳେଶ ନିର୍ଦ୍ଦେଶ ଦେଇଛନ୍ତି। କେତେକ ସୂତ୍ରରୁ ଜଣାପଡ଼ିଛି ଯେ ଅଖିଳେଶ ମୁଲାୟମଙ୍କ ସବୁ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାପରେ ନିରାଶ ମୁଲାୟମ ଶିବପାଲ ଏବଂ ଅମର ସିଂହଙ୍କୁ ତୁହାକୁ ତୁହା ଫୋନ୍‌ କରିଥିଲେ। ତେବେ ସେମାନଙ୍କ ଆଲୋଚନାର ବିଷୟବସ୍ତୁ ଜଣାପଡ଼ିନାହିଁ।
 
ଗତକାଲି ମୁଲାୟମ ସ୍ୱୀକାର କରିଥିଲେ ଯେ ଯେ ତାଙ୍କ ପାଖରେ ଆବଶ୍ୟକ ବିଧାୟକଙ୍କ ସମର୍ଥନ ନାହିଁ ଏବଂ ପୁଅ ଅଖିଳେଶ ହିଁ ଏବେ ଦଳର ସମସ୍ତ କ୍ଷମତା ନିଜ ନିୟନ୍ତ୍ରଣରେ ରଖିଛନ୍ତି। ତେଣୁ ସ୍ୱାଭାବିକ ଭାବେ ସେ ହିଁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ। ଦଳର ସମସ୍ତ ସଙ୍କଟ ପାଇଁ ରାମଗୋପାଳ ଯାଦବଙ୍କୁ ମୁଲାୟମ ଦାୟୀ କରିଥିଲେ। ମୁଲାୟମଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଦେଖି ସମାଜବାଦୀ କଳହର ଅବସାନ ଘଟିବ ବୋଲି ଆଶା କରାଯାଉଥିଲା, କିନ୍ତୁ ଦଳର ୨୨୯ ବିଧାୟକଙ୍କ ମଧ୍ୟରୁ ପ୍ରାୟ ୨ ଶହ ବିଧାୟକ ଅଖିଳେଶଙ୍କ ସପକ୍ଷରେ ଥିବାରୁ ଏବେ ସେ ଆଉ ସାଲିସ୍‌ କରିବାକୁ ଚାହୁନାହାନ୍ତି।   
 
ପରିବାର  ଝଗଡ଼ା ସମ୍ମୁଖରେ ମୁଣ୍ଡ ନୁଆଁଇଥିବା ମୁଲାୟମଙ୍କୁ ଏବେ ପରିବାର ହିଁ ଅଣଦେଖା କରୁଥିବାରୁ ସେ ତାଙ୍କ ରଣନୀତି ବଦଳାଇବେ ବୋଲି କୁହାଯାଉଛି।  ଅଖିଳେଶ-ରାମଗୋପାଳ ଗୋଷ୍ଠୀକୁ ସାଇକେଲ ଚିହ୍ନ ଯେଭଳି ନମିଳିବ ସେଥିପାଇଁ ଅମରସିଂହ ଜୋରଦାର ପ୍ରୟାସ କରୁଛନ୍ତି।  ମୁଲାୟମ  ମାତ୍ର ଦୁଇ ମାସ ପାଇଁ ଦଳର ଜାତୀୟ ଅଧ୍ୟକ୍ଷ ରହିବାକୁ ଅଖିଳେଶ ଦୁଇଦିନ ତଳେ  ପ୍ରସ୍ତାବ  ଦେଇଥିଲେ, କିନ୍ତୁ ଏବେ ତାହା ମଧ୍ୟ କରିବାକୁ ଅଖିଳେଶ ପ୍ରସ୍ତୁତ ନାହାନ୍ତି।   ଦଳର ନିର୍ବାଚନୀ ସଙ୍କେତ ‘ସାଇକେଲ’ କାହାକୁ ମିଳିବ ସେ ନେଇ ଆଗାମୀ ୧୩ ତାରିଖରେ ଚୂଡ଼ାନ୍ତ ଫଏସଲା ହେବାକୁ ଥିବାରୁ ସମସ୍ତେ ନିର୍ବାଚନ କମିସନଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି।

image