19 October 2017
2:44:46 PM
Sambad News
ରାଜନୀତି

ବିଜେଡି ଓ ବିଜେପିର ଷ୍ଟାର୍‌ କ୍ୟାମ୍ପେନର୍‌ : ଆଗେ ନବୀନ, ଦୁଇ ନମ୍ବରରେ ଦାମ

By Sambad | Date: Jan 12 2017 6:06AM
ବିଜେଡି ଓ ବିଜେପିର ଷ୍ଟାର୍‌ କ୍ୟାମ୍ପେନର୍‌ : ଆଗେ ନବୀନ, ଦୁଇ ନମ୍ବରରେ ଦାମ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ମୁଖ୍ୟ ଷ୍ଟାର୍‌ କ୍ୟାମ୍ପେନର୍‌। ଏହା ଅପ୍ରତ୍ୟାଶିତ ନୁହେଁ କି ଆଶ୍ଚର୍ଯ୍ୟ କଲା ପରି ଘଟଣା ନୁହେଁ। ନିର୍ବାଚନ କମିସନ୍‌ଙ୍କ ପାଖକୁ ଯାଇଥିବା ବିଜେଡିର ଷ୍ଟାର୍‌ କ୍ୟାମ୍ପେନର୍‌ଙ୍କ ତାଲିକାରେ ନବୀନଙ୍କ ନାମ ପ୍ରଥମେ ଅଛି। ତେବେ ନବୀନଙ୍କ ପଛକୁ ତାଲିକାର ଦୁଇ ନମ୍ବରରେ ଅଛନ୍ତି ସମବାୟ ମନ୍ତ୍ରୀ ଦାମୋଦର ରାଉତ। ଏହା ହିଁ ରାଜନୈତିକ ମହଲ ପାଇଁ ଚର୍ଚ୍ଚାର ଖୋରାକ ଯୋଗାଇଛି। ସମସ୍ତଙ୍କୁ ଆଶ୍ଚର୍ଯ୍ୟ ବି କରିଛି। 
 
ମନ୍ତ୍ରୀ ଦାମୋଦର ରାଉତ ଠୋ ଠା କଥା ପାଇଁ ବେଶ୍‌ କିଛି ମାସ ହେବ ଗଣମାଧ୍ୟମର ଶିରୋନାମା ପାଲଟୁଛନ୍ତି। ତାଙ୍କର ବାକ୍ୟ ବାଣରେ ବିରୋଧୀ ଯେତିକି ଘାଇଲା ହୋଇନାହାନ୍ତି, ନିଜ ଦଳର ବହୁ ନେତା ବିବ୍ରତ ହୋଇଛନ୍ତି। ସରକାରଙ୍କ ବିଭିନ୍ନ ନୀତିକୁ ସମାଲୋଚନା କରି ବି ଦାମ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି। ଏଥି ପାଇଁ ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ଓ ବିଧାନସଭାରେ ତାଙ୍କ ଗୁରୁତ୍ୱକୁ କମାଇବାକୁ ସବୁବେଳେ ଉଦ୍ୟମ ହୋଇଥିବା ଦେଖିବାକୁ ମିଳିଛି। କିନ୍ତୁ ପଞ୍ଚାୟତ ନିର୍ବାଚନରେ ଭୋଟର୍‌ଙ୍କୁ ଆକୃଷ୍ଟ କରିବା ପାଇଁ ଦାମଙ୍କ ତୁଣ୍ଡକୁ ବିଜେଡି ବ୍ୟବହାର କରିବାକୁ ଯୋଜନା କରିଥିବା ଜଣାପଡ଼ିଛି। ଏତେ ଦିନ ପରେ ଦାମଙ୍କ ତୁଣ୍ଡର ମୂଲ୍ୟ ବିଜେଡି ବୁଝିଛି ବୋଲି ଆଲୋଚନା ଚାଲିଛି। 
 
ବିଜେଡିର ‘ଷ୍ଟାର୍‌ କ୍ୟାମ୍ପେନର୍‌’ ତାଲିକାରେ ୧୩ ଜଣ ମନ୍ତ୍ରୀ ସ୍ଥାନ ପାଇଛନ୍ତି। କିନ୍ତୁ ଲୋକସଭା ସାଂସଦମାନଙ୍କ ଉପରେ ନବୀନ ଆଦୌ ଭରସା କରିନାହାନ୍ତି। କେବଳ ଅଭିନେତାରୁ ସାଂସଦ ହୋଇଥିବା ସିଦ୍ଧାନ୍ତ ମହାପାତ୍ରଙ୍କୁ ତାଲିକାରେ ସ୍ଥାନ ଦେଇଛନ୍ତି। ଆଉ ୧୯ ଜଣଙ୍କୁ ନେଇନାହାନ୍ତି। ପାଞ୍ଚ ଜଣ ରାଜ୍ୟସଭା ସାଂସଦ ଓ ୯ ଜଣ ବିଧାୟକ ତାଲିକାରେ ଅଛନ୍ତି। 
 
ବିଜେଡିର ଷ୍ଟାର୍‌ କ୍ୟାମ୍ପେନର୍‌ମାନେ ହେଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ଦାମୋଦର ରାଉତ, ବିଜୟଶ୍ରୀ ରାଉତରାୟ, ଦେବୀ ପ୍ରସାଦ ମିଶ୍ର, ଉଷା ଦେବୀ, ବିକ୍ରମ କେଶରୀ ଆରୁଖ, ପ୍ରଦୀପ କୁମାର ଅମାତ, ଅରୁଣ କୁମାର ସାହୁ, ସଞ୍ଜୟ ଦାସବର୍ମା, ସୁଦାମ ମାରାଣ୍ଡି, ପ୍ରଦୀପ ପାଣିଗ୍ରାହୀ, ରମେଶ ମାଝୀ, ପ୍ରଣବ ପ୍ରକାଶ ଦାସ ଓ ସ୍ନେହାଙ୍ଗିନୀ ଛୁରିଆ, ଲୋକସଭା ସାଂସଦ ସିଦ୍ଧାନ୍ତ ମହାପାତ୍ର, ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ଏନ୍‌ ଭାସ୍କର ରାଓ, ଦିଲ୍ଲୀପ ତିର୍କୀ ଓ ଅନୁଭବ ମହାନ୍ତି, ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର, ପ୍ରଫୁଲ୍ଲ ସାମଲ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ସଞ୍ଜୀବ ସାହୁ, ପ୍ରତାପ ଜେନା, ଅତନୁ ସବ୍ୟସାଚ୍ଚୀ ନାୟକ, ପ୍ରଭାତ ବିଶ୍ୱାଳ ଓ ଆକାଶ ଦାସନାୟକ, ବରିଷ୍ଠ ନେତା ଭୂପିନ୍ଦର ସିଂହ, ପ୍ରଶାନ୍ତ ନନ୍ଦ, ଅରବିନ୍ଦ ଢ଼ାଲି, ବିମ୍ବାଧର କୁଅଁର, ସସ୍ମିତ ପାତ୍ର, ଅଭିନେତା ମୁନା ଖାନ୍‌, ମିହିର ଦାସ, ତୃପ୍ତି ଦାସ, କୁନା ତ୍ରିପାଠୀ, ସାତ୍ତ୍ୱକୀ ମିଶ୍ର ଓ ଅରିନ୍ଦମ ରାୟ।

image