19 October 2017
2:45:13 PM
Sambad News
ରାଜନୀତି

ବିଜୟ, ଦିଲ୍ଲୀପଙ୍କୁ ନେଇ ଲୁଚକାଳି

By Sambad | Date: Jan 12 2017 6:02AM
ବିଜୟ, ଦିଲ୍ଲୀପଙ୍କୁ ନେଇ ଲୁଚକାଳି

ଭୁବନେଶ୍ୱର : ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କୁ ନେଇ ବିଜେପି ଦ୍ୱନ୍ଦ୍ୱରେ। ଉଭୟଙ୍କ ହାତ ଦଳ ପୂରା ଛାଡ଼ିଦେବ ନା ବୁଝାଇଶୁଝାଇ ରଖିବ ? ଏହା କେହି ମୁହଁରେ ମାନନ୍ତୁ ନ ମାନନ୍ତୁ। କିନ୍ତୁ ଦ୍ୱନ୍ଦ୍ୱ ଆପେ ଆପେ ଫୁଟି ପଦାକୁ ବାହାରୁଛି। ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ଷ୍ଟାର୍‌ କ୍ୟାମ୍ପେନର୍‌ ତାଲିକା ହିଁ ଏହାକୁ ପ୍ରମାଣିତ କରିଛି। 
 
ପଞ୍ଚାୟତ ନିର୍ବାଚନ ପାଇଁ ‘ଷ୍ଟାର୍‌ କ୍ୟାମ୍ପେନର୍‌’ ତାଲିକା ଦେବାକୁ ସବୁ ରାଜନୈତିକ ଦଳକୁ କୁହାଯାଇଛି। ଏହି ତାଲିକା ୪୦ ଭିତରେ ସୀମିତ ରହିବ। ବିଜେପି ପକ୍ଷରୁ ଗତକାଲି ଏକ ତାଲିକା ରାଜ୍ୟ ନିର୍ବାଚନ କମିସନର୍‌ଙ୍କୁ ଦିଆଯାଇଥିଲା। ଏଥିରେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ନାମ ନ ଥିଲା। ରାଜ୍ୟ ସଭାପତି, ବିଧାୟକ ଦଳ ନେତା, ଦୁଇ କେନ୍ଦ୍ର ମନ୍ତ୍ରୀ, ୩ ବିଧାୟକ ଓ ପୂର୍ବତନ ମନ୍ତ୍ରୀଙ୍କ ସମେତ ସବୁ ଆଗଧାଡ଼ିର ନେତାଙ୍କ ନାମ ଥିଲା। ଦ୍ୱିତୀୟ ଓ ତୃତୀୟ ଧାଡ଼ିର ନେତା ବି ତାଲିକାରେ ସ୍ଥାନ ପାଇଥିଲେ। 
 
ଏହି ଦୁଇ ଜଣଙ୍କ ନାମ ଜାଣିଶୁଣି କାଟିଦିଆଯାଇଥିଲା ନା ଭୁଲ୍‌ବଶତଃ କଟିଯାଇଥିଲା? ତାହାକୁ ନେଇ ଆଜି ସକାଳୁ ରାଜନୈତିକ ଚର୍ଚ୍ଚା ଜୋର୍‌ ଧରିଥିଲା।  ଭୁଲ୍‌ବଶତଃ ନାଁ କଟିବାର ପ୍ରଶ୍ନ ନ ଥିଲା। କାରଣ ଜନସାଧାରଣଙ୍କ ନିକଟରେ ଆଦୌ ପରିଚିତ ନ ଥିବା ନେତାଙ୍କ ନାମ ତାଲିକାରେ ଥିଲା। ତେଣୁ ତାଲିକା ପ୍ରସ୍ତୁତି ବେଳେ ଏହି ଦୁଇ ବରିଷ୍ଠ ନେତାଙ୍କ ନାମ ମନକୁ ଆସି ନ ଥିବ, ଏହା ଆଦୌ ବିଶ୍ୱାସଯୋଗ୍ୟ ନୁହେଁ। ପୁଣି ୪୦ ବଦଳରେ ୪୭ ନାଁ ନିର୍ବାଚନ କମିସନ୍‌ଙ୍କ ପାଖକୁ ବିଜେପି ପଠାଇଥିଲା। ୪୭ ଭିତରେ ବି ବିଜୟ ଓ ଦିଲ୍ଲୀପଙ୍କ ନାଁ ଆସି ନ ଥିଲା।
 
ବିଜେପି ନେତାମାନଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ଏ ସମ୍ପର୍କରେ ଆଜି ସକାଳେ ପ୍ରଶ୍ନ କରିଥିଲେ। ସେମାନେ ଏହାକୁ ଏଡ଼ାଇ ଯାଇଥିଲେ। ଗଣମାଧ୍ୟମରେ ଏହାକୁ ନେଇ ବିବାଦ ବଢ଼ିଲା ପରେ ବିଜେପି ପକ୍ଷରୁ ଆଉ ଏକ ସଂଶୋଧିତ ତାଲିକା ନିର୍ବାଚନ କମିସନ୍‌ଙ୍କୁ ଦିଆଗଲା। ସେଥିରେ ପୂର୍ବ ୪୭ ତାଲିକାରୁ ୯ ଜଣଙ୍କୁ ବାଦ୍‌ ଦିଆଗଲା। ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ନାମ ସେଥିରେ ଯୋଡ଼ାଗଲା। ତାହା ପରେ ଗଣମାଧ୍ୟମରେ ଏ ନେଇ ପ୍ରେସ୍‌ ବିବୃତି ଜାରି କରାଗଲା। 
 
ଏ ସମ୍ପର୍କରେ ବିଜେପି ମୁଖପାତ୍ର ତଥା ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଥିଲେ, ଗତକାଲି ଦଳୀୟ କାର୍ଯ୍ୟାଳୟରୁ ଜଣେ କର୍ମଚାରୀ ନିର୍ବାଚନ କମିସନ୍‌ଙ୍କ କାର୍ଯ୍ୟାଳୟକୁ ତାଲିକା ପଠାଇଦେଇଥିଲେ। ତାହା ଚୂଡ଼ାନ୍ତ ତାଲିକା ନ ଥିଲା କି ସଭାପତି ତାହାକୁ ସ୍ୱୀକୃତି ଦେଇ ନ ଥିଲେ। ସେ ଭୁଲ୍‌ବଶତଃ ୪୭ ଜଣଙ୍କ ନାମ ଦେଇ ତାଲିକା ପଠାଇଦେଇଥିଲେ। ଆଜି ହିଁ ୪୦ ଜଣିଆ ତାଲିକା ଚୂଡ଼ାନ୍ତ ହୋଇ ନିର୍ବାଚନ କମିସନ୍‌ଙ୍କୁ ଦିଆଯାଇଛି। 
 
ତେବେ ବିଜେପିର ଏହି ଯୁକ୍ତିକୁ ରାଜନୈତିକ ମହଲରେ କେହି ଗ୍ରହଣ କରିପାରୁ ନାହାନ୍ତି। ନାମକୁ ନେଇ ଲୁଚକାଳି ଖେଳ ସମ୍ପର୍କରେ ବିଜୟ ଓ ଦିଲ୍ଲୀପଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଉଭୟ ନେତା ପ୍ରଚାରରେ ସାମିଲ୍‌ ହେବେ କି ନାହିଁ, ତାହା ସ୍ପଷ୍ଟ କରିନାହାନ୍ତି। 
 
ବିଜେପି ଷ୍ଟାର୍‌ କ୍ୟାମ୍ପେନର୍‌ମାନେ ହେଲେ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ପ୍ରଦୀପ ପୁରୋହିତ, ରବି ନାଏକ ଓ ରାଧାରାଣୀ ପଣ୍ଡା, ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ମନମୋହନ ସାମଲ, ସୁରମା ପାଢ଼ୀ, ସମୀର ଦେ, ହିମାଂଶୁ ମେହେର, ପୂର୍ବତନ ବିଧାୟକ ପ୍ରତାପ ଷଡ଼ଙ୍ଗୀ, ଜାତୀୟ ସମ୍ପାଦକ ସୁରେଶ ପୂଜାରୀ, ରାଜ୍ୟ ଉପସଭାପତି ନୟନ କିଶୋର ମହାନ୍ତି, ବିଷ୍ଣୁ ସେଠୀ, ସମୀର ମହାନ୍ତି, ସୁକେଶୀ ଓରାମ, ଅଶ୍ୱିନୀ ଷଡ଼ଙ୍ଗୀ, ରଞ୍ଜନ କୁମାର ପଟେଲ୍‌, ଶାରଦା ପ୍ରସନ୍ନ ଶତପଥୀ, ପୃଥ୍ଵୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ଅନନ୍ତ ନାଏକ, କାଳନ୍ଦୀ ସାମଲ, ଦିଲ୍ଲୀପ ମଲ୍ଲିକ, ଲେଖାଶ୍ରୀ ସାମନ୍ତସିଂହାର, ସଜ୍ଜନ ଶର୍ମା, ଗୋଲକ ପ୍ରସାଦ ମହାପାତ୍ର, ଟଙ୍କଧର ତ୍ରିପାଠୀ, ପ୍ରଭାତୀ ପରିଡ଼ା, ଶିବାଜୀ ମହାନ୍ତି, ମୋହନ ମାଝୀ, ରୁଦ୍ର ନାରାୟଣ ପାଣି, ପର୍ଶୁରାମ ମାଝୀ, ମହେଶ୍ୱର ସାହୁ, ଶ୍ରୀତମ ଦାସ ଓ ପିଙ୍କି ପ୍ରଧାନ। 

image