18 October 2017
11:49:17 PM
Sambad News
ରାଜ୍ୟ

ଭୟଙ୍କର ଲଢ଼େଇ: ଦନ୍ତା ମୃତ

ଥରିଉଠିଲା ସାତବେଢ଼ି ଜଙ୍ଗଲ

By Sambad | Date: Dec 31 2016 9:37PM
ଭୟଙ୍କର ଲଢ଼େଇ: ଦନ୍ତା ମୃତ

ଠାକୁରମୁଣ୍ଡା/ସାତକୋଶିଆ/କରଂଜିଆଗୋଲେଇ : ରାତି ପାଖାପାଖି ୧୧ଟା। ଦନ୍ତାହାତୀ ଗର୍ଜନରେ କମ୍ପିଉଠିଥିଲା ସାତବେଢ଼ି ଜଙ୍ଗଲ ଓ ଆଖପାଖ ଅଞ୍ଚଳ। ପ୍ରାୟ ଦେଢ଼ଘଣ୍ଟା ଧରି ଚାଲିଥିବା ଦୁଇଦନ୍ତାଙ୍କ ଲଢ଼େଇ ବନାଞ୍ଚଳର ନିସ୍ତବ୍ଧତାକୁ ଭଂଗ କରିଥିଲା। ଆଉ ସକାଳୁ ଦେଖାଗଲା ମରିପଡ଼ିଛି ଏକ ଦନ୍ତାହାତୀ। ହାତୀ ପେଟରୁ ବାହାରି ପଡ଼ିଛି ଅନ୍ତବୁଜୁଲା। ଭୟଙ୍କର ଏ ଲଢ଼େଇକୁ ଦେଖି ତଟସ୍ଥ ହୋଇ ଯାଇଥିଲେ ବନାଞ୍ଚଳରେ ବାସ କରୁଥିବା ଏକ ମତ୍ସ୍ୟଜୀବୀ ପରିବାର। 
 
ସେମାନଙ୍କଠାରୁ ଖବର ପାଇ ଆଜି ବନ ବିଭାଗ ମୃତ ଦନ୍ତାର ଶବକୁ ଉଦ୍ଧାର କରି ପୋଷ୍ଟମର୍ଟମ କରାଇଛି। କରଞ୍ଜିଆ ବନଖଣ୍ଡର ସାତକୋଶିଆ ରେଞ୍ଜ ଅନ୍ତର୍ଗତ ସାତବେଢି ସଂରକ୍ଷିତ ଜଙ୍ଗଲ କମ୍ପାଟ୍‌ମେଣ୍ଟ ନଂ-୧୦ରୁ ଉଦ୍ଧାର ହୋଇଛି ମୃତ ଦନ୍ତା ହାତୀର ଶବ। ହାତୀ ଲଢ଼େଇ ଯେ କେତେ ଭୟଙ୍କର, ଏକଥା କହିବା ବେଳେ ପ୍ରତ୍ୟେକ୍ଷଦର୍ଶୀ ପରିବାର ଭୟରେ ଥରୁଛନ୍ତି। 
 
ବନ ବିଭାଗର ଅଭିଜ୍ଞ କର୍ମଚାରୀ ଯାହା କହନ୍ତି; ବନାଞ୍ଚଳର ସାତବେଢି ଜଙ୍ଗଲରେ ଏକ ମାଈ ହାତୀ ଓ ଛୁଆ ହାତୀ ସହ ଏକ ଦନ୍ତା ହାତୀ ରହୁଥିଲା। ଗତ ୨୯ ତାରିଖ ରାତିରେ ସେହି ଜଙ୍ଗଲକୁ ଆଉ ଗୋଟିଏ ଦନ୍ତା ପଶି ଆସିଥିଲା। ଏହାକୁ ନେଇ ଦୁଇଟିଯାକ ଦନ୍ତା ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ମଧ୍ୟରେ ଜୋର୍‌ଦାର୍‌ ଲଢ଼େଇ ହୋଇଥିଲା। ବାହାରୁ ଆସିଥିବା ଦନ୍ତାର ତଳି ପେଟକୁ ପ୍ରଥମ ଦନ୍ତାଟି ଦାନ୍ତରେ ଭୁଶି ଦେଇଥିଲା। ଫଳରେ ବାହାର ଦନ୍ତାର ଅନ୍ତବୁଜୁଳା ବାହାରି ପଡ଼ିଥିଲା। ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ୧୦୦ ମିଟର ଦୂର ପାହାଡ଼ ତଳେ ପଡ଼ି ଛଟପଟ ହୋଇ ଦନ୍ତାଟି ପ୍ରାଣ ହରାଇଥିଲା। 
 
ଘଟଣାର ପ୍ରତ୍ୟେକ୍ଷଦର୍ଶୀ ଉକ୍ତ ମତ୍ସ୍ୟଜୀବୀ ପରିବାର ଏନେଇ ସାତକୋଶିଆ ବନାଞ୍ଚଳ ଅଧିକାରୀଙ୍କୁ ଗତକାଲି ଫୋନ୍‌ରେ ଅବଗତ କରିଥିଲେ। ଖବରପାଇ ଗତ କାଲିଠାରୁ ଟିପିଏଫ୍‌ କର୍ମଚାରୀ ଓ ବନ କର୍ମଚାରୀମାନେ ହାତୀଟିକୁ ଖୋଜାଖୋଜି କରି ସନ୍ଧ୍ୟା ବେଳେ ଠାବ କରିଥିଲେ। ଆଜି ଠାକୁରମୁଣ୍ଡା ବିଭିଓ ଡା. ଦେବୀଦତ୍ତ ମାଝୀ ମୃତ ହାତୀର ଶବକୁ ବ୍ୟବଚ୍ଛେଦ କରିଛନ୍ତି। 
 
କରଞ୍ଜିଆ ଏସିଏଫ୍‌ ବୈଦ୍ୟନାଥ ମାଝୀ, ରେଞ୍ଜର ସରୋଜ କୁମାର ମହାନ୍ତି, ଫରେଷ୍ଟର ଗୌରହରି ପାତ୍ର, ଫରେଷ୍ଟର ନଳୀନି ମହାନ୍ତ, ଗାର୍ଡ ପ୍ରଭାତ ରଞ୍ଜନ ଦାସ,  ଟିପିଏଫ୍‌ କାର୍ତ୍ତିକେଶ୍ୱର ଦାସ, ଗୌତମ ନାଏକ, ବିଷ୍ଣୁଚରଣ ପାତ୍ର, ଗୋପାଳ ନାଏକ, ସୁରେଶ ବାନ୍ଦିଆ, ବଳଭଦ୍ର ବେହେରା, ସିଦ୍ଧେଶ୍ୱର ଲାମ୍ବରାଙ୍କ ଉପସ୍ଥିତିରେ ହାତୀର ଶବକୁ ପୋତି ଦିଆ ଯାଇଛି। ମୃତ ଦନ୍ତାର ଅଢେଇ ଫୁଟ ଲମ୍ବ ଦାନ୍ତକୁ ବନ ବିଭାଗ ଉଦ୍ଧାର କରିଛି। ମୃତ ହାତୀର ବୟସ ଆନୁମାନିକ ୪୫ରୁ ୫୦ବର୍ଷ ହେବ ବୋଲି ଏସିଏଫ୍‌  ଶ୍ରୀ ମାଝୀ ପ୍ରକାଶ କରିଛନ୍ତି।

image