20 November 2017
11:04:08 AM
Sambad News
ରାଜ୍ୟ

ତତଲା ଚେଙ୍କରେ ଶିଶୁର ଜୀବନଗଲା

By Sambad | Date: Sep 16 2017 10:05PM
ତତଲା ଚେଙ୍କରେ ଶିଶୁର ଜୀବନଗଲା

ଯୋଡ଼ା/କେନ୍ଦୁଝର : ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାରେ ଅନ୍ଧବିଶ୍ୱାସର ବଶବର୍ତୀ ହୋଇ ଅକାରଣରେ ଅନେକ ଜୀବନ ଲିଭିଯାଉଛି। ସ୍ୱାସ୍ଥ୍ୟ ଖରାପ ହୋଇଥିବା ଜଣେ ଶିଶୁକୁ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ  ନେବା ପରିବର୍ତ୍ତେ ଚେଙ୍କ ଦିଆଯିବା ଫଳରେ କୋମଳମତି ଶିଶୁଟିର ମୃତ୍ୟୁ ଘଟିଛି। 
 
ମିଳିଥିବା ସୂଚନା ଅନୁଯାୟୀ, ଯୋଡ଼ା ବ୍ଲକ ପିଢପୋଖରୀ ଗ୍ରାମର ବୁଧୁରାମ ମୁଣ୍ଡାଙ୍କ ୧୮ ଦିନର ଶିଶୁପୁତ୍ର ଗତ ୧୧ ତାରିଖରେ ଅସୁସ୍ଥ ହୋଇ ପଡ଼ିଥିଲା। ଶିଶୁଟି ନିଶ୍ୱାସ ନେବାରେ ଅସୁବିଧା ଭୋଗିବା ସହ ମା’ କ୍ଷୀର ଖାଉନଥିଲା। ପିଢପୋଖରୀ ନିକଟରେ ସ୍ୱାସ୍ଥ୍ୟକେନ୍ଦ୍ର ନଥିବା ବେଳେ ଦିନ ମଜୁରିଆ ବାବୁରାମ ଅର୍ଥାଭାବରୁ ଶିଶୁକୁ ଡାକ୍ତରଖାନା ନେଇ ପାରିନଥିଲେ ବୋଲି ପ୍ରକାଶ କରିଛନ୍ତି। ପରଦିନ ଶିଶୁର ମାଉସୀ କାଚକୁ ଗରମ୍‌ କରି ଅସୁସ୍ଥ ଶିଶୁ ପେଟରେ ଚେଙ୍କ ଦେଇଥିଲେ। ଫଳରେ ଶିଶୁ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇ ପଡିଥିଲା। 
 
ଗତକାଲି ପଡୋଶୀ ଗାଁ’ରେ ଶିଶୁମାନଙ୍କୁ ଟିକା ଦିଆଯାଉଥିବା ଖବର ପାଇ ବାବୁରାମ ତାଙ୍କ ଶିଶୁକୁ ନେଇ ସେଠିକୁ ଯାଇଥିଲେ। ଟିକା ଦେବାକୁ ଆସିଥିବା କର୍ମଚାରୀମାନେ ଶିଶୁର ଅବସ୍ଥା ଦେଖି ତାଙ୍କ ଗାଡିରେ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟକୁ ନେଇ ଯାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ଶିଶୁଟିର ମୃତ୍ୟୁ ହୋଇଥିବା ଜଣାପଡିଛି।

image