20 November 2017
11:07:57 AM
Sambad News
ସମ୍ପାଦକୀୟ

ମରୁଡ଼ି ଘୋଷଣା ନେଇ ସ୍ୱଚ୍ଛ ନୀତି

By Sambad | Date: Sep 25 2017 3:34AM
ମରୁଡ଼ି ଘୋଷଣା ନେଇ ସ୍ୱଚ୍ଛ ନୀତି

ନିଅଣ୍ଟିଆ ଓ ଅନିୟମିତ ବର୍ଷା ଫଳରେ ରାଜ୍ୟର କେତେକ ଅଞ୍ଚଳ ଉପରେ ମରୁଡ଼ିର କରାଳ ଛାୟା ଦେଖା ଦେଇଥିବା ନେଇ ଗତ ତେର ତାରିଖ ବିଧାନସଭାରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଥିଲା। ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି ଗୃହକୁ ସୂଚନା ଦେଇଥିଲେ ଯେ କେତେକ ଅଞ୍ଚଳରେ ‘ମରୁଡ଼ି ଭଳି ପରିସ୍ଥିତି ଦେଖା ଦେଲାଣି’। ମନ୍ତ୍ରୀ ମହୋଦୟ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ଯେ, କ୍ଷେତ୍ର ସ୍ତରରେ ସ୍ଥିତିର ଆକଳନ କରାଯାଇ ମରୁଡ଼ିର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ଇତିମଧ୍ୟରେ ସପ୍ତାହେରୁ ଅଧିକ କାଳ ବିତି ଯାଇଥିଲେ ସୁଦ୍ଧା ମରୁଡ଼ି ପରିସ୍ଥିତିର ଏକ ବିଶ୍ୱସନୀୟ ଚିତ୍ର ମିଳି ପାରିନାହିଁ। ଶୁକ୍ରବାର ଦିନ ମରୁଡ଼ି ପରିସ୍ଥିତିର ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା।  ତେବେ, ଅନେକ ଜିଲ୍ଲାରୁ ଜିଲ୍ଲାପାଳ ମାନଙ୍କ ରିପୋର୍ଟ ତଥାପି ଅପେକ୍ଷା କରାଯାଇଥିବାରୁ ସ୍ଥିତିର ଆକଳନ ସମ୍ଭବ ହୋଇ ନଥିଲା। ଆମ ଶାସନ ବ୍ୟବସ୍ଥାରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏହା ଏକ ଗୁରୁତର ସମସ୍ୟା। ଠିକଣା ସମୟରେ କ୍ଷେତ୍ର ସ୍ତରରୁ ବାସ୍ତବ ସ୍ଥିତି ସମ୍ପର୍କରେ ସୂଚନା ମିଳୁନଥିବାରୁ ଅବସ୍ଥାର ଠିକ୍‌ ଆକଳନ ହୋଇ ପାରୁନାହିଁ କି ତାର ମୁକାବିଲା ସକାଶେ ପ୍ରଭାବଶାଳୀ ପଦକ୍ଷେପ ନିଆଯାଇ ପାରୁନାହିଁ। ଏଥିରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ବିପର୍ଯ୍ୟୟ ପୀଡ଼ିତମାନେ। ଦୁର୍ବିପାକ ଜନିତ ଆପତ୍‌କାଳୀନ ସ୍ଥିତିରେ ବିପର୍ଯ୍ୟୟ ପରିଚାଳନା ଆଶାଜନକ ହେଉନାହିଁ। 
 
ତେବେ ସାଂପ୍ରତିକ ମରୁଡ଼ି ପରିସ୍ଥିତି ନେଇ ଅନେକ ଜିଲ୍ଲାପାଳଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ବେଳେ ‘ମରୁଡ଼ି ପ୍ରଭାବିତ ଅଞ୍ଚଳ’ ଘୋଷଣା ପାଇଁ ସରକାର ଏ ସଂକ୍ରାନ୍ତ ନୀତିରେ ପରିବର୍ତ୍ତନ ପାଇଁ ଚିନ୍ତା କରୁଛନ୍ତି। ଏହା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ, ଆସନ୍ନ ମରୁଡ଼ି ସାମ୍ନା କରିବାକୁ ଯାଉଥିବା ଚାଷୀଙ୍କୁ ଏହା କିଛି ମାତ୍ରାରେ ଆଶ୍ୱସ୍ତ କରୁଥିବ। ରାଜସ୍ୱ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ମରୁଡ଼ି ଅଞ୍ଚଳ ଘୋଷଣା ପାଇଁ ‘ଫସଲ କଟା ରିପୋର୍ଟ’ ବଦଳରେ ଏଣିକି ‘ବୃଷ୍ଟିପାତର ରିପୋର୍ଟ’କୁ ମାପକାଠି ଭାବେ ଗ୍ରହଣ କରିବା ଲାଗି ସରକାର ଚିନ୍ତା କରୁଛନ୍ତି। ଏହି ନୂଆ ନୀତିରେ ଗ୍ରାମପଞ୍ଚାୟତକୁ ଏକକ ଭାବେ ଗ୍ରହଣ କରାଯିବ। ସରକାରଙ୍କ ପ୍ରସ୍ତାବିତ ନୂଆ ବ୍ୟବସ୍ଥାରେ ଯଦି କୌଣସି ପଞ୍ଚାୟତରେ କ୍ରମାଗତ ତିନି ସପ୍ତାହ ଧରି ସ୍ୱାଭାବିକଠାରୁ ୫୦ ପ୍ରତିଶତ କମ୍‌ ବର୍ଷା ହୁଏ, ତେବେ ସେହି ନିପାଣିଆ ତିନି ସପ୍ତାହର ସମୟକୁ ‘ଶୁଷ୍କ ଅବଧି’ ଭାବେ ବିଚାର କରି ସମ୍ପୃକ୍ତ ପଞ୍ଚାୟତକୁ ‘ମରୁଡ଼ି ପ୍ରଭାବିତ’ ଘୋଷଣା କରାଯିବ। ‘ଫସଲ କଟା’ ବଦଳରେ ‘ଶୁଷ୍କ ଅବଧି’କୁ ମାପକାଠି ଭାବେ ଗ୍ରହଣ କରାଯିବା ଏକ ଉନ୍ନତ ବ୍ୟବସ୍ଥା। ଏହି ବ୍ୟବସ୍ଥାର ପ୍ରମୁଖ ସକାରାତ୍ମକ ଦିଗଗୁଡ଼ିକ ହେଲା- ସ୍ୱଚ୍ଛତା, ସରଳତା ଓ ସହଳ ପ୍ରକ୍ରିୟା। ଫସଲ କଟା ରିପୋର୍ଟ ନେଇ ଅନେକ ସମୟରେ ରାଜସ୍ୱ ଅଧିକାରୀ ଓ ଚାଷୀଙ୍କ ମଧ୍ୟରେ ସହମତି ରହୁନଥିଲା। କିନ୍ତୁ ବୃଷ୍ଟିପାତ ରିପୋର୍ଟ ନେଇ ଅସହମତି କିମ୍ବା ବିବାଦର ବିଶେଷ ଅବକାଶ ରହିବ ନାହିଁ। ତେଣୁ ଏହା ଏକ ଅପେକ୍ଷାକୃତ ସ୍ୱଚ୍ଛ ବ୍ୟବସ୍ଥା। ଏହା ବାସ୍ତବବାଦୀ ମଧ୍ୟ ଏଥିପାଇଁ ଯେ, ତିନି ସପ୍ତାହ ଧରି ଯଦି ସ୍ୱାଭାବିକଠାରୁ ଅଧା ବି ବୃଷ୍ଟିପାତ ନ ହୁଏ, ତେବେ ସେହି ପଞ୍ଚାୟତରେ ଫସଲହାନି ଘଟି ଅମଳ ପ୍ରଭାବିତ ହେବା ନିଶ୍ଚିତ।  
 
ଏ ବର୍ଷ ସରକାରଙ୍କ ତାଜା ରିପୋର୍ଟ ଅନୁଯାୟୀ ୧୦୭ଟି ବ୍ଲକ୍‌ରେ ଗତ ସପ୍ତାହ ସୁଦ୍ଧା ସ୍ୱାଭାବିକ ଠାରୁ ୧୯ରୁ ୫୯ ପ୍ରତିଶତ ପର୍ଯ୍ୟନ୍ତ କମ୍‌ ବର୍ଷା ହୋଇଛି। ଏଥିରୁ ୨୫ଟି ବ୍ଲକ୍‌ରେ ୨୯ରୁ ୫୯ ପ୍ରତିଶତ ପର୍ଯ୍ୟନ୍ତ କମ୍‌ ବୃଷ୍ଟିପାତ ହୋଇଛି। ଏହିସବୁ ବ୍ଲକ୍‌ରେ ଏମିତି ଅନେକ ସଂଖ୍ୟକ ଗ୍ରାମପଞ୍ଚାୟତ ଥିବ, ଯେଉଁଠି ଏହି ପରିମାଣରୁ ବି କମ୍‌ ବର୍ଷା ହୋଇଥିବ ଏବଂ ସରକାରଙ୍କ ନୂଆ ମାପକାଠି ‘ଶୁଷ୍କ ଅବଧି’ ଅନୁଯାୟୀ ତିନି ସପ୍ତାହରୁ ଅଧିକ କାଳ ନିପାଣିଆ (ସ୍ୱାଭାବିକଠାରୁ ୫୦ ପ୍ରତିଶତ କମ୍‌ ବର୍ଷା) ରହିବା ଫଳରେ ‘ମରୁଡ଼ି ଅଞ୍ଚଳ’ ଘୋଷିତ ହେବା ଲାଗି ହକ୍‌ଦାର ହୋଇପାରିବ। ଦ୍ୱିତୀୟ ସକାରାତ୍ମକ ଦିଗଟି ହେଲା- ନୂଆ ବ୍ୟବସ୍ଥାରେ ମରୁଡ଼ି ଅଞ୍ଚଳ ଘୋଷଣା ପ୍ରକ୍ରିୟାରେ ଅହେତୁକ ବିଳମ୍ବକୁ ଏଡ଼ାଯାଇ ପାରିବ। ‘ଫସଲ କଟା’ ବ୍ୟବସ୍ଥାରେ ଫସଲ ଅମଳକ୍ଷମ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଥିଲା। ଏହି କାରଣରୁ ଗତ ୨୦୧୫ ମରୁଡ଼ିର ପୂର୍ଣ୍ଣାଙ୍ଗ ଚିତ୍ର ମିଳିବାରେ ଅଯଥା ବିଳମ୍ବ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୦୭ଟି ବ୍ଲକ୍‌ରେ କେବଳ ୨,୫୭,୯୩୦ ହେକ୍ଟର ଜମିରେ ମରୁଡ଼ି ଜନିତ ଫସଲ ହାନି ହୋଇଥିବା ଆକଳନ କରାଯାଇଥିଲା। ଏହା ପରେ ଆଉ ଦୁଇଟି ମଧ୍ୟବର୍ତ୍ତୀକାଳୀନ ରିପୋର୍ଟରେ ମଧ୍ୟ କ୍ଷୟକ୍ଷତିର ସ୍ପଷ୍ଟ ଆକଳନ ହୋଇପାରି ନଥିଲା। ଚୂଡ଼ାନ୍ତ ଆକଳନରେ ମରୁଡ଼ି ପ୍ରଭାବିତ ବ୍ଲକ୍‌ ସଂଖ୍ୟା- ପ୍ରାରମ୍ଭିକ ଆକଳନ ତୁଳନାରେ ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଥିଲା। 
 
ଚୂଡ଼ାନ୍ତ ମରୁଡ଼ି କ୍ଷୟକ୍ଷତି ରିପୋର୍ଟ ଅନୁଯାୟୀ ୨୩୫ ବ୍ଲକ୍‌ର ୧୫,୩୫,୯୦୨  ହେକ୍ଟର ଚାଷ ଜମି ମରୁଡ଼ି ପ୍ରଭାବିତ ଦର୍ଶାଯାଇଥିଲା।  ସ୍ଥିତିର ଆକଳନରେ ଏ ବିଳମ୍ବ ସ୍ୱାଭାବିକ ଭାବେ ମରୁଡ଼ି ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତିରେ ସମସ୍ୟା ସୃଷ୍ଟି କରେ। ସବୁଠାରୁ ବଡ଼ ଅସୁବିଧା ହେଲା, ମରୁଡ଼ି ପ୍ରଭାବିତ ଚାଷୀଙ୍କ ପାଖରେ ସହାୟତା ପହଞ୍ଚିବା ଏତେ ବିଳମ୍ବିତ ହୁଏ ଯେ, ସହାୟତା ମୂଲ୍ୟହୀନ ହୋଇପଡ଼େ। ୨୦୧୫ର ମରୁଡ଼ି ବେଳେ ବହୁସଂଖ୍ୟକ ଚାଷୀଙ୍କର ଏହି ତିକ୍ତ ଅଭିଜ୍ଞତା ରହିଛି। ସରକାର ୧୦୦୦ କୋଟିର ମରୁଡ଼ି ପ୍ୟାକେଜ୍‌ ଘୋଷଣା କଲେ। କିନ୍ତୁ ‘ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ବରଷେ’ ଭଳି ବହୁସଂଖ୍ୟକ ଚାଷୀ ‘ଇନ୍‌ପୁଟ୍‌ ସବ୍‌ସିଡି’ ଅନେକ ବିଳମ୍ବରେ ପାଇଲେ ଏବଂ ଆଉ କେତେ ଚାଷୀ ତ ଆଦୌ ପାଇଲେ ନାହିଁ। ନୂଆ ବ୍ୟବସ୍ଥା ଫଳରେ ମରୁଡ଼ି ପ୍ରଭାବିତ ଚାଷୀଙ୍କୁ ସହାୟତା ପ୍ରଦାନ ପ୍ରକ୍ରିୟା ତ୍ୱରାନ୍ଵିତ ହେବ ବୋଲି ଆଶା କରାଯାଏ।
 
ଅବଶ୍ୟ, ନୂଆ ବ୍ୟବସ୍ଥା ଲାଗୁ କରିବା ପୂର୍ବରୁ ସରକାରଙ୍କୁ ଆଉ କେତେକ ବିଷୟ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ପଡ଼ିବ ଓ ବ୍ୟବସ୍ଥାରେ ଅଧିକ ସ୍ପଷ୍ଟତା ମଧ୍ୟ ଆବଶ୍ୟକ। ପ୍ରଥମ, ପ୍ରତି ପଞ୍ଚାୟତର ବୃଷ୍ଟିପାତ ପରିମାଣ ରେକର୍ଡ ପାଇଁ ବିଶ୍ୱସନୀୟ ବ୍ୟବସ୍ଥା ଓ ବୃଷ୍ଟିପାତର ଦୈନିକ ବିବରଣୀ ସଂଗ୍ରହ ଅତ୍ୟନ୍ତ ଜରୁରୀ ଅନ୍ୟଥା, ଅଯଥା ବିଭ୍ରାନ୍ତି ଦେଖା ଦେବାର  ଆଶଙ୍କା ରହିଛି। ଦ୍ୱିତୀୟରେ ଏ ବ୍ୟବସ୍ଥା କେବଳ ଅଣଜଳସେଚିତ ଅଞ୍ଚଳ ପାଇଁ ଉଦ୍ଦିଷ୍ଟ। ଜଳସେଚିତ ଅଞ୍ଚଳରେ ପାଣି ଅଭାବ ଜନିତ ଫସଲ ହାନି ପ୍ରସଙ୍ଗରେ ନୀତି କ’ଣ ହେବ? ରାଜ୍ୟର ପ୍ରାୟ ୬୨ ଲକ୍ଷ ହେକ୍ଟର ଜମିରୁ ୬୬ ପ୍ରତିଶତ ଅଣଜଳସେଚିତ ଏବଂ ଅବଶିଷ୍ଟ ୩୪ ପ୍ରତିଶତ ଜଳସେଚିତ (କେବଳ ଖରିଫରେ)। ତେବେ ଯେଉଁ ସବୁ ଅଞ୍ଚଳକୁ ‘ଜଳସେଚିତ’ ବୋଲି ସରକାରୀ ରେକର୍ଡରେ ଦେଖାଯାଇଛି, ସେଥିରୁ ବି ଅନେକ ଅଞ୍ଚଳକୁ ପାଣି ମାଡୁନାହିଁ। ପୁଣି ମାତ୍ର ୧୩ ଲକ୍ଷ ହେକ୍ଟର ଜମି ବୃହତ୍‌ ଓ ମଧ୍ୟମ ସେଚ ପ୍ରକଳ୍ପ ଦ୍ୱାରା ଜଳସେଚିତ ହେଉଥିବା ବେଳେ  କ୍ଷୁଦ୍ର, ଉଠା ଓ ଅନ୍ୟାନ୍ୟ ଉତ୍ସରୁ ଅବଶିଷ୍ଟ ୧୫ ଲକ୍ଷ ହେକ୍ଟର ଜମି ଜଳସେଚିତ ହେଉଛି। ଏଥିରୁ ଅନେକ ଉତ୍ସରୁ ଜଳସେଚନକୁ ‘ନିଶ୍ଚିତ ସେଚ’ ବ୍ୟବସ୍ଥା ବୋଲି କୁହାଯାଇ ପାରିବ ନାହିଁ। ତେଣୁ ‘ଜଳସେଚିତ’ ଅଞ୍ଚଳର ଯଦି ଜଳସେଚନର ‘ଅନିଶ୍ଚତତା’ କାରଣରୁ ଫସଲ ହାନି ହୁଏ, ତେବେ କେଉଁ ମାପକାଠିରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଦିଆଯାଇ ପାରିବ? ଏ ବିଷୟ ଉପରେ ସରକାରୀ ସ୍ତରରେ ଅଧିକ ଆଲୋଚନା ହୋଇ ସ୍ପଷ୍ଟ ନୀତି ନିର୍ଦ୍ଧାରଣର ଅପେକ୍ଷା କରାଯାଏ। 
 
ଏ ପ୍ରସଙ୍ଗରେ ସବୁଠାରୁ ବଡ଼ ପ୍ରଶ୍ନ ହେଲା, ଫସଲ ବୀମା ଯୋଜନାରେ ସରକାରଙ୍କ ଏହି ନୂଆ ବ୍ୟବସ୍ଥାକୁ ମାନ୍ୟତା ମିଳିବ କି ନାହିଁ? ଉଭୟ ସରକାର ଓ ବୀମା କମ୍ପାନିମାନେ ଏ ବିଷୟ ସ୍ପଷ୍ଟ କରିବା ଉଚିତ। ଅନ୍ୟଥା ଚାଷୀମାନେ ହଇରାଣର ସମ୍ମୁଖୀନ ହେବେ।

image