20 November 2017
11:17:21 AM
Sambad News
ସମ୍ପାଦକୀୟ

ପୁଲିସ୍‌, ସିବିଆଇ- ଅସ୍ତ୍ର!

By Sambad | Date: Sep 22 2017 2:41AM
ପୁଲିସ୍‌, ସିବିଆଇ- ଅସ୍ତ୍ର!

ଚିଟ୍‌ଫଣ୍ଡ ମହାଠକେଇ ମାମଲା ନେଇ ମଙ୍ଗଳବାର ସିବିଆଇ ଶାସକ ଦଳର କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କଲା। ମାମଲାର ଅନୁସନ୍ଧାନ ଆରମ୍ଭ ହେବାର ପ୍ରାୟ ତିନିବର୍ଷ ପରେ ବିଧାୟକଙ୍କ ଗିରଫଦାରୀ ପ୍ରତି ଅଙ୍ଗୁଳି ଦେଖାଇ ବିଜେଡି ସିବିଆଇ ତଦନ୍ତର ଉଦ୍ଦେଶ୍ୟ ଓ ଚରିତ୍ର ଉପରେ ପ୍ରଶ୍ନ ଉଠାଇଛି। କିଛିଦିନ ତଳେ ‘ମିସନ-୧୨୦’ରେ ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ଧମକ ସହ ବିଧାୟକଙ୍କ ଗିରଫ ଘଟଣାକୁ ଯୋଡ଼ି ସିବିଆଇ କେନ୍ଦ୍ରରେ କ୍ଷମତାସୀନ ବିଜେପିର ରାଜନୈତିକ ହତିଆର ସାଜିଛି ବୋଲି ବିଜେଡି ଅଭିଯୋଗ କରି ରାସ୍ତାକୁ ଓହ୍ଲାଇଛି। ଚିଟଫଣ୍ଡ ଠକେଇ ତଦନ୍ତରେ ସିବିଆଇ ଭୂମିକାକୁ କେନ୍ଦ୍ର କରି ବିଜେପି-ବିଜେଡି ରାଜନୈତିକ ଲଢ଼େଇ ଚାଲିଥିବା ବେଳେ, ଆଉ ଏକ ଘଟଣାକ୍ରମରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଖୋଦ୍‌ ନିଜେ ନିଜର ବିଶ୍ୱସନୀୟତାକୁ କାଠଗଡ଼ାରେ ଠିଆ କରିଛି। ମେଡିକାଲ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ଏମ୍‌ସିଆଇ)ରେ ଭ୍ରଷ୍ଟାଚାରର ତଦନ୍ତ ପ୍ରକ୍ରିୟାରେ ଓଡ଼ିଶା ହାଇକୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କ ଘରେ ଚଢ଼ାଉ କରିବାକୁ ଯାଇ ସିବିଆଇ ଦଳ ବର୍ତ୍ତମାନ କାର୍ଯ୍ୟରତ ଜଣେ ହାଇକୋର୍ଟ ବିଚାରପତିଙ୍କ ବାସଭବନର ଫାଟକରେ ପହଞ୍ଚିବା ସ୍ୱତଃ ଏହି ପ୍ରମୁଖ ତଦନ୍ତକାରୀ ସଂସ୍ଥାର ବିଶ୍ୱସନୀୟତା, ଅନୁସନ୍ଧାନ କୌଶଳ, କର୍ମକୁଶଳତାକୁ ସନ୍ଦିଗ୍‌ଧ କରି ଦେଇଛି।
 
‘ବାଟବଣା’ ହୋଇ ଭୁଲରେ ସିବିଆଇ ଅନୁସନ୍ଧାନକାରୀ ଦଳ ଓଡ଼ିଶା ହାଇକୋର୍ଟର  କାର୍ଯ୍ୟରତ ମାନ୍ୟବର ନ୍ୟାୟମୂର୍ତ୍ତି ସିି.ଆର୍‌. ଦାସଙ୍କ ସରକାରୀ ବାସଭବନରେ ପହଞ୍ଚି ଯାଇଥିଲେ ବୋଲି କହି ସିବିଆଇ ତାର ଦାୟିତ୍ୱହୀନତା ଓ ବେପରୁଆ ମନୋଭାବକୁ ଘଣ୍ଟ ଘୋଡ଼ାଇ ପାରିବ ନାହିଁ। ଏ ପ୍ରସଙ୍ଗରେ ସିବିଆଇ ମୁଖପାତ୍ରଙ୍କ ସ୍ପଷ୍ଟୀକରଣ ଆଦୌ ସନ୍ତୋଷଜନକ ମନେ ହେଉନାହିଁ। ମୁଖପାତ୍ର ଘଯଣାକୁ ଯେତିକି ହାଲିକା ଭାବରେ ନେଇଛନ୍ତି, ତାହା ସେତିକି ହାଲୁକା ନୁହେଁ। ଏହା ବେଶ୍‌ ଗୁରୁତ୍ୱପୂର୍ଣ୍ଣ  ଏବଂ ପ୍ରଭାବ ସୁଦୂରପ୍ରସାରୀ। କୌଣସି ପ୍ରକାର ଅନୁସନ୍ଧାନ, ପୁଣି ଯଦି ସନ୍ଦିଗ୍ଧ ଜଣେ ପୂର୍ବତନ ବିଚାରପତି ହୋଇଥାନ୍ତି,  ତେବେ ସର୍ବାଧିକ ସାବଧାନତା ଓ ଯତ୍ନର ଆବଶ୍ୟକତା ରହିଛି। କିନ୍ତୁ ଏ କ୍ଷେତ୍ରରେ ତାହାର  ଅଭାବ  ଦେଖାଦେଇଛି। ଏମ୍‌ସିଆଇ ଦୁର୍ନୀତି ମାମଲାରେ ସନ୍ଦିଗ୍ଧ ବିଚାରପତି ଆଇଏମ୍‌ କୁଦ୍ଦୁସି ୨୦୧୦ରୁ କ୍ୱାର୍ଟର ଛାଡ଼ିଲେଣି। ଛତିଶଗଡ଼ ହାଇକୋର୍ଟକୁ ବଦଳି ହୋଇ ସେ ୨୦୧୨ରେ ସେଠାରୁ ଅବସର ନେଲେ। ପୂର୍ବତନ ବିଚାରପତି କୁଦ୍ଦୁସି ଯଦି ସନ୍ଦିଗ୍ଧ, ତେବେ ସିବିଆଇ ଭଳି ପ୍ରମୁଖ ତଦନ୍ତକାରୀ ସଂସ୍ଥା ପାଖରେ ସର୍ବନିମ୍ନ ଏତିକି ସୂଚନା ରହିବା ଆବଶ୍ୟକ। କିନ୍ତୁ ସେତିକି ସୂଚନା ନ ରଖି ୨୦୦୪ରୁ ୨୦୧୦ ପର୍ଯ୍ୟନ୍ତ ନ୍ୟାୟମୂର୍ତ୍ତି ଭାବେ ବିଚାରପତି କୁଦ୍ଦୁସି ରହୁଥିବା ବାସଭବନକୁ ସିବିଆଇ ଦଳ ଆସିବା ତଦନ୍ତ ନେଇ ସର୍ବନିମ୍ନ ପ୍ରସ୍ତୁତିର ଅଭାବ ଓ ଦାୟିତ୍ୱ ନେଇ ଖାମଖିଆଲି ମନୋଭାବ ପ୍ରତି ଇଙ୍ଗିତ କରୁଛି। ଅନୁସନ୍ଧାନକାରୀ ଦଳର ଏ ପ୍ରକାର ମନୋଭାବ ଓ ଆଚରଣ ତଦନ୍ତର ଚରିତ୍ର ଓ ଗତିକୁ ପ୍ରଭାବିତ କରିବା ଆଶଙ୍କାକୁ ଏଡ଼ାଯାଇ ନ ପାରେ। 
 
ଉଲ୍ଲେଖ ନିଷ୍ପ୍ରୟୋଜନ ଯେ, ଅନେକ ମାମଲାରେ ସିବିଆଇକୁ ସଫଳତା ମିଳୁଥିଲେ ସୁଦ୍ଧା, ଷଡ୍‌ଯନ୍ତ୍ରର ବ୍ୟୂହକୁ ଭେଦ କରି ଆପରାଧିକ ମାମଲାର ମୂଳରେ ପହଞ୍ଚିବାରେ ବିଫଳତାର ତାଲିକା ମଧ୍ୟ ବେଶ୍‌ ଲମ୍ବା। ଓଡ଼ିଶାର ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ହତ୍ୟା ମାମଲାର ତଦନ୍ତ ବର୍ତ୍ତମାନ ସୁଦ୍ଧା ନିଷ୍ଫଳା ରହିବା ନିଶ୍ଚିତ ଭାବେ ଏହିପରି ଖାମଖିଆଲି, ଦୁର୍ବଳ ଅନୁସନ୍ଧାନର ପରିଣତି ବୋଲି କହିଲେ ଭୁଲ ହେବନାହିଁ। ତେବେ ଏମ୍‌ସିଆଇ ମାମଲାରେ ସିବିଆଇ ବାଟ ହୁଡ଼ିବା ଘଟଣା କେବଳ ତଦନ୍ତ ବ୍ୟୁରୋର ବିଶ୍ୱସନୀୟତା, କର୍ମକୁଶଳତା ତଥା ସର୍ବୋପରି ଏକ ପ୍ରମୁଖ ତଦନ୍ତକାରୀ ସଂସ୍ଥା ଭାବେ ଏହାର ଭାବମୂର୍ତ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରି ନାହିଁ; ଅଜାଣତରେ ହେଲେ ବି ନ୍ୟାୟପାଳିକାର ଗରିମା ଉପରେ ଆଞ୍ଚ ଆଣିଛି। ଅଯଥାରେ କୌଣସି ଅନୁଷ୍ଠାନ କିମ୍ବା ବ୍ୟକ୍ତିଙ୍କ ଘରେ କିମ୍ବା ଆଖପାଖରେ ପୁଲିସ୍‌ର ଉପସ୍ଥିତି ଏକ ସ୍ପର୍ଶକାତର ପ୍ରସଙ୍ଗ। ଏହା ଅଯଥାରେ ଏକ ସନ୍ଦେହର ବାତାବରଣ ସୃଷ୍ଟି କରି ସମ୍ପୃକ୍ତ ବ୍ୟକ୍ତି କିମ୍ବା  ଅନୁଷ୍ଠାନର ପ୍ରତିଷ୍ଠା ତଥା ସମ୍ମାନର ଆଞ୍ଚ ଆଣିଥାଏ। ଚନ୍ଦ୍ରଶେଖର ପ୍ରଧାନମନ୍ତ୍ରୀ ଥିବାବେଳେ ରାଜୀବ ଗାନ୍ଧୀଙ୍କ ଘର ପାଖରେ ଦୁଇଜଣ କନ୍‌ଷ୍ଟେବଲଙ୍କ ପଇଁତରା ଯୋଗୁ ସରକାର ଭାଙ୍ଗି ଯାଇଥିଲା। ସିବିଆଇର ଖାମଖିଆଲି ଆଚରଣ ନେଇ ଓଡ଼ିଶା ଆଇନଜୀବୀଙ୍କ କ୍ଷୋଭ ଓ ଉଦ୍‌ବେଗ ସମ୍ପୂର୍ଣ୍ଣ ଭାବେ ଯଥାର୍ଥ। ଦେଶର ଅନ୍ୟତମ ପ୍ରମୁଖ ତଦନ୍ତକାରୀ ସଂସ୍ଥାଠାରୁ ଏ ପ୍ରକାର ଦାୟିତ୍ୱହୀନତା, ଖାମଖିଆଲି- ଉଦାସୀନ ମନୋଭାବ ଆଶା କରାଯାଏ ନାହିଁ। ସମ୍ଭବତଃ, ରାଜନୈତିକ ମୁନିବଙ୍କ ଇଙ୍ଗିତରେ ପରିଚାଳିତ ‘ପଞ୍ଜୁରୀର ଶୁଆ’ କେବଳ ନିଜସ୍ୱ ସ୍ୱାଧୀନତା ନୁହେଁ, ବିବେକ ଓ ବୁଦ୍ଧି ମଧ୍ୟ ହରାଇ ବସିଛି।
 
ତେବେ, ଏ ଦୁର୍ଭାଗ୍ୟଜନକ ଅଲୋଡ଼ା ପ୍ରକରଣର ସବୁଠାରୁ ମାରାତ୍ମକ କୁପରିଣତି ହେଲା, କେନ୍ଦ୍ରର କ୍ଷମତାସୀନ ବିଜେପି ଓ ରାଜ୍ୟରେ ଶାସକ ବିଜେଡି ମଧ୍ୟରେ ଚାଲିଥିବା ରାଜନୈତିକ ଲଢ଼େଇରେ ଗୋଟିଏ ପକ୍ଷରେ ସିବିଆଇ ଏବଂ ଅନ୍ୟପକ୍ଷରେ ରାଜ୍ୟ ପୁଲିସ୍‌କୁ ଅସ୍ତ୍ର ଭାବେ ବ୍ୟବହାର ଲାଗି ସାନି ଅବକାଶ ସୃଷ୍ଟି ହେବା। ଏଥିରେ କୌଣସି ସନ୍ଦେହ ନାହିଁ ଯେ, କଂଗ୍ରେସ ହେଉ କି ବିଜେପି, କେନ୍ଦ୍ରରେ କ୍ଷମତାରେ ଥିବା ବେଳେ ପ୍ରତ୍ୟେକ ଦଳ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କ ବିରୋଧରେ ସିବିଆଇକୁ ବ୍ୟବହାର କରି ଆସିଛନ୍ତି। ଏହି କ୍ରମରେ ଓଡ଼ିଶାରେ ମଧ୍ୟ ଚିଟଫଣ୍ଡ ଠକେଇରେ ସିବିଆଇର ତଦନ୍ତର ପ୍ରକଅତି ଓଗତି ଯାହା, ସେଥିରେ ଉଦ୍ଦେଶ୍ୟ ଅପରାଧର ମୂଳକୁ ଯାଇ ଠକେଇର ରହସ୍ୟ ଉନ୍ମୋଚନ ଓ ଠକକୁ ଧରିବା ଯେତେ ନୁହେଁ, ତା’ଠାରୁ ଅଧିକ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଘେରିବା। ଏମ୍‌ସିଆଇ ମାମଲାରେ ସିବିଆଇ ବାଟବଣା ହେବା ଘଟଣା ରାଜ୍ୟ ପୁଲିସ୍‌କୁ ହାତବାରିସି କରି ପାଲଟା ଜବାବ ଲାଗି ବିଜେଡିକୁ ଏକ ସୁଯୋଗ ଦେଇଛି। 
 
ନ୍ୟାୟମୂତ୍ତିଙ୍କ ବାସଭବନକୁ ସିବିଆଇ ଦଳର ଅନୁପ୍ରବେଶ ନେଇ ରାଜ୍ୟ ପୁଲିସ୍‌ ମାମଲା ଋଜୁ କରିଛି। ସ୍ୱାଭାବିକ ଭାବେ ଏହା ସିବିଆଇ ଓ ରାଜ୍ୟ ପୁଲିସକୁ୍‌ ପରସ୍ପରର ମୁହାଁମୁହିଁ କରିଛି। କେନ୍ଦ୍ର ଓ ରାଜ୍ୟ ଛାୟାଯୁଦ୍ଧରେ ଦୁଇଟି ସରକାରୀ ସଂସ୍ଥା ଛନ୍ଦି ହୋଇ ମୁହାଁମୁହିଁ ହେବା ଏକ ଅସ୍ୱସ୍ତିକର ପରିବେଶ ସୃଷ୍ଟି କରୁଛି। ଆଇନର ଶାସନ ପାଇଁ ଏହା ଆଦୌ ଏକ ସୁସ୍ଥ ସଂକେତ ନୁହେଁ। ଅବଶ୍ୟ, ଏହା ପ୍ରଥମ ନୁହେଁ, ଯେତେବେଳେ ସିବିଆଇ କାର୍ଯ୍ୟାନୁଷ୍ଠାନର ପାଲଟା ଜବାରରେ ପୁଲିସ୍‌କୁ ବ୍ୟବହାର କରାଯାଉଛି। ଏହାପୂର୍ବରୁ ମଧ୍ୟ କେତେକ ପେଟ୍ରୋଲ୍‌ ପମ୍ପ୍‌ ଓ ଗ୍ୟାସ୍‌ ଯୋଗାଣକାରୀ ସଂସ୍ଥା ଉପରେ ରାଜ୍ୟ ପୁଲିସ୍‌ ଓ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧୀନ ସଂସ୍ଥା ଚଢ଼ାଉ କରିଥିଲେ, ଯାହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନଥିଲା ବୋଲି କୁହାଯାଇ ପାରିବ ନାହିଁ। ଏହାହିଁ ଦୁର୍ଭାଗ୍ୟ ଯେ ଉଭୟ ସିବିଆଇ ଓ ପୁଲିସ୍‌କୁ ରାଜନୈତିକ ଲଢ଼େଇରେ ହତିଆର ଭାବେ ବ୍ୟବହାର କରାଯାଉଛି। ଭାରତୀୟ ଗଣତନ୍ତ୍ରରେ କ୍ଷମତାର ଏହା ଏକ ବିପଜ୍ଜନକ ବିଲକ୍ଷଣ।
 
ତେଣୁ, ଏମ୍‌ସିଆଇ ଭ୍ରଷ୍ଟାଚାର ମାମଲାର ତଦନ୍ତରେ ସିବିଆଇ ବାଟବଣା ହେବା ଓ ପରବର୍ତ୍ତୀ ପ୍ରକରଣ କ’ଣ ଶିକ୍ଷା ଦେଉଛି? ପୁଲିସ୍‌ ହେଉ କି ସିବିଆଇ- ସଂକୀର୍ଣ୍ଣ ରାଜନୈତିକ ବିବାଦରୁ ଊର୍ଦ୍ଧ୍ୱରେ ରହିବା ଉଚିତ। ଆଇନଶୃଙ୍ଖଳା ରକ୍ଷା ଓ ଅପରାଧ ଅନୁସନ୍ଧାନ ଦାୟିତ୍ୱରେ ଥିବା ସଂସ୍ଥାମାନଙ୍କୁ ରାଜନୈତିକ ପ୍ରଭାବରୁ ମୁକ୍ତ ରଖିବା ଲାଗି ଏମାନଙ୍କ ଉପରୁ ସରକାରୀ ନିୟନ୍ତ୍ରଣକୁ ହୁଗୁଳା କରି ସ୍ୱୟଂଶାସନ କ୍ଷମତା ପ୍ରଦାନ କରାଯାଉ। କ୍ଷମତାସୀନ ରାଜନୈତିକ ମୁନିବଙ୍କ ପ୍ରତି ନୁହେଁ, ବରଂ ବିଧିବ୍ୟବସ୍ଥା ପ୍ରତି ଆନୁଗତ୍ୟ ଏବଂ ଆଇନଗତ କର୍ତ୍ତବ୍ୟ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ହେବା, ଦେଶ  ତଥା ସମାଜର ବୃହତ୍ତର ସ୍ୱାର୍ଥ ଲାଗି ଏକାନ୍ତ ଅପରିହାର୍ଯ୍ୟ।

image