19 October 2017
2:47:52 PM
Sambad News
କଟକ

ପୁଣି ବ୍ୟାପିଲା ଜଣ୍ଡିସ୍‌ : ୫୦ରୁ ଅଧିକ ଆକ୍ରାନ୍ତ

By Sambad | Date: Jan 11 2017 11:59PM
ପୁଣି ବ୍ୟାପିଲା ଜଣ୍ଡିସ୍‌  : ୫୦ରୁ ଅଧିକ ଆକ୍ରାନ୍ତ

କଟକ : କଟକ ମହାନଗର ନିଗମ ୮ନମ୍ବର ଓ୍ଵାର୍ଡର ତୁଳସୀପୁର, ମଠସାହି ନାରାୟଣ ସାହୁ ଲେନ୍‌ରେ ପୁଣି ବ୍ୟାପିବାରେ ଲାଗିଛି ଜଣ୍ଡିସ୍‌। ଗତ ୧୦ ଦିନ ମଧ୍ୟରେ  ଲେନ୍‌ର ୨୦ରୁ ଅଧିକ ଜଣଙ୍କୁ ଜଣ୍ଡିସ୍‌ ହୋଇଥିବା ଅଭିଯୋଗ ହୋଇଛି। ଗତମାସ ପ୍ରଥମ ସପ୍ତାହରେ ଏଠାରେ ଜଣ୍ଡିସ୍‌ ବ୍ୟାପିବା ବେଳେ ଏବେ ଏହାର ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ରୋଗୀ ସଂଖ୍ୟା ବଢୁଥିବା ବେଳେ ଜନସ୍ୱାସ୍ଥ୍ୟ ବିଭାଗ, ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ଦୃଢ ତଥା ସ୍ଥାୟୀ ପ୍ରତିକାର ପାଇଁ ସେପରି କିଛି କାର୍ଯ୍ୟ କରାଯାଇ ନଥିବା ଅଭିଯୋଗ ହୋଇଛି।
 
ତୁଳସୀପୁର, ମଠସାହି ଶୌଚାଳୟର ଅତି ନିକଟରେ ପମ୍ପ ହାଉସ ରହିଥିବା ବେଳେ ପୁରୁଣା ପାଇପରେ ପାଣି ଯୋଗାଇ ଦିଆଯାଉଥିବାରୁ ଏଠାରେ ଜଣ୍ଡିସ୍‌ ବ୍ୟାପୁଛି ବୋଲି ଲେନ୍‌ ବାସୀ ଅଭିଯୋଗ କରିଛନ୍ତି। ଲେନ୍‌ର ଚନ୍ଦ୍ର ଶେଖର ସାହୁ(୪୮), ସାରଦା ପ୍ରସ୍ନନ ସାହୁ(୩୮), ସୌଭାଗିନୀ ସାହୁ(୧୯) ସୋମନାଥ ସାହୁ(୪୫), କନକଲତା ସାହୁ(୪୦), ଜଗନ୍ନାଥ ସାହୁ(୪୫), ଦିନବନ୍ଧୁ ସାହୁ(୫୦), ଭଗବାନ ସାହୁ(୫୫), ସୋମନାଥ ସାହୁ(୨୮), ବସନ୍ତ କୁମାର ସାହୁ(୪୨), ରିତୁପୂର୍ଣ୍ଣା ସାହୁ(୧୦), ଭରତ ସାହୁ(୪୫), ଚିତ୍ତ ରଞ୍ଜନ ବେହେରା(୨୨), ରାଜେନ୍ଦ୍ର ବେହେରା(୨୧) ପ୍ରମୁଖ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଛନ୍ତି। କଟକ ବଡ ମେଡିକାଲରେ ଲେନ୍‌ର ବାସିନ୍ଦା ସରଲତା ସାହୁ(୬୫) ଚିକିତ୍ସିତ ହେଉଛନ୍ତି। ଲେନ୍‌ରେ ଏକ ମାସରୁୁ ଅଧିକ ଦିନ ଧରି ଜଣ୍ଡିସ ବ୍ୟାପିଥିବା ବେଳେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରାଥମିକ ଭାବେ ବ୍ଳିଚିଙ୍ଗ, ହାଲୋଜିନ ଟାବଲେଟ ବଣ୍ଟାଯିବା ସହ କିଛିି ସ୍ଥାନରେ ପାଣି ପାଇପ କଟାଯାଇ ଏହାକୁ ପରିଷ୍କାର କରାଯାଥିଲା। ଲେନ୍‌ର ତିନିଟି ସ୍ଥାନରେ ପାଣିଟାଙ୍କି ବସା ଯାଇଥିଲା। କିନ୍ତୁ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଇ ନଥିଲା। 
 
ମଠସାହି ଶୌଚାଳୟ ନିକଟରେ ନିର୍ମାଣ ହୋଇଥିବା ନୂତନ ବୋରିଙ୍ଗ ପଏଣ୍ଟରୁ ବାଲିଯାତ୍ରା ପୂର୍ବରୁ କଲୋନି ବାସିନ୍ଦାଙ୍କୁ ପାଣି ଯୋଗାଇ ଦିଆଯାଉଥିଲା । ଏହାପରେ ଲେନ୍‌ରେ ଅନେକଙ୍କୁ ଝାଡାବାନ୍ତି ହୋଇଥିଲେ। ଅଭିଯୋଗ ପରେ ନୂତନ ପମ୍ପକୁ କିଛି ଦିନ ପାଇଁ ବନ୍ଦ କରିଦିଆ ଯାଇଥିଲା। କିଛିଦିନ ବ୍ୟବଧାନରେ ପୁଣି ଏହାକୁ ସଚଳ କରି ପାଣି ଯୋଗାଇ ଦିଆଯାଥିଲା। ଏହାପରେ ଲେନ୍‌ରେ ଜଣ୍ଡିସ୍‌ ବ୍ୟାପିବାରେ ଲାଗିଛି। ଶୌଚାଳୟର ଅତି ନିକଟରେ ବୋରିଙ୍ଗ ପଏଣ୍ଟ ହୋଇଥିବାରୁ ପାଣିରେ ଶୌଚାଳୟର ମଇଳା ପାଣି ମିଶୁଥିବାରୁ ଅଞ୍ଚଳରେ ଜଣ୍ଡିସ୍‌ ବ୍ୟାପୁଥିବା ଅଞ୍ଚଳବାସୀ କହନ୍ତି। 
 
ଲେନ୍‌ ବାସୀଙ୍କୁ ୪୫ବର୍ଷରୁ ଅଧିକ ପୁରୁଣା ପାଣି ପାଇପରେ ପିଇବା ପାଣି ଯୋଗାଇ ଦିଆଯାଉଥିବା ବେଳେ ଏହା ମଧ୍ୟ ଜଣ୍ଡିସ୍‌ର ମୁଖ୍ୟ କାରଣ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। ନୂଆ ବୋରିଙ୍ଗ ପଏଣ୍ଟରୁ ପାଣି ଯୋଗାଣକୁ ବନ୍ଦ କରିବା ସହ ପୁରୁଣା ପାଣି ପାଇପକୁ ବଦଳାଇବାକୁ ଲେନ୍‌ବାସୀ ଦାବି କରିଛନ୍ତି। ଏକମାସରୁ ଅଧିକ ଦିନ ହେବ ଲେନ୍‌ରେ ଜଣ୍ଡିସ୍‌ ବ୍ୟାପିଥିବା ବେଳେ ଏହାର ପ୍ରତିକାର ପାଇଁ ବିଭାଗ ପକ୍ଷରୁ କିଛି କରାଯାଇ ନାହିଁ। ଲେନ୍‌ରେ ଜଣ୍ଡିସ୍‌ ବ୍ୟାପିଥିବା ବେଳେ ଏଠାରେ ସ୍ୱାସ୍ଥ୍ୟ ଶିବିର କରିବାକୁ ପୂର୍ବତନ କର୍ପୋରେଟର ଅଜିତ କୁମାର ବେହେରା ଦାବି କରିଛନ୍ତି। ଲେନ୍‌ରେ ଜଣ୍ଡିସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୦ରୁ ଅଧିକ ହେବ। କେଉଁ କରଣରୁ ଏଠାରେ ଜଣ୍ଡିସ୍‌ ବ୍ୟାପୁଛି ଏହାର କାରଣ ଜଣା ପଡୁନାହିଁ। 
 
ଆସନ୍ତା କାଲିଠାରୁ ପାଣିପାଇପକୁ ପରୀକ୍ଷା କରାଯିବ ବୋଲି ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିବାର କହନ୍ତି କର୍ପୋରେଟର ନମିତା ବାରିକ। ଲେନ୍‌ର ବିଭିନ୍ନ ସ୍ଥାନରୁ ଓ ବୋରିଙ୍ଗ ପଏଣ୍ଟରୁ ପାଣି ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଥିଲା। କେଉଁଥିରେ ବି ସମସ୍ୟା ନଥିବାର ଜଣାଯାଇଛି। ଆସନ୍ତା କାଲିଠାରୁ ତୁଳସୀପୁର, ମଠସାହି ଅଞ୍ଚଳରେଏକାଧିକ ସ୍କ୍ଵାଡ ବୁଲି ଲୋକଙ୍କୁ ଘର ଉପରେ ଥିବା ଟାଙ୍କିକୁ ସଫା କରିବାକୁ କୁହାଯିବ । ଜଣ୍ଡିସ୍‌ ଏଭଳି ବ୍ୟାପିବାର କାରଣ ଖୋଜି ବାହାର କରିଯିବା ବୋଲି ଜନସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ଘଡାଇ କହିଛନ୍ତି।

image